ବେଙ୍ଗାଲୁରୁ: ବେଙ୍ଗାଲୁରୁ-ମହୀସୁରୁ ଏକ୍ସପ୍ରେସ୍ୱେରେ ଶନିବାର ଭୋର ସମୟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ରାମନଗର ଜିଲ୍ଲାର ଆଭେରେଗେରେ ଗେଟ୍ ନିକଟରେ କେରଳ ରାଜ୍ୟ ସଡ଼କ ପରିବହନ ନିଗମ (KSRTC)ର ଏକ ବସ୍ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ସାଇନବୋର୍ଡକୁ ଧକ୍କା ଦେଇ ଓଲଟି ପଡ଼ିଛି। ଦୁର୍ଘଟଣାରେ ବସ୍ର ଡ୍ରାଇଭର ଓ କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ମୃତକଙ୍କ ପରିଚୟ ଡ୍ରାଇଭର ଅରୁଣ ଓ କଣ୍ଡକ୍ଟର ଅଖିଳେଶ ବୋଲି ଜଣାପଡ଼ିଛି। ବସ୍ଟି ବେଙ୍ଗାଲୁରୁରୁ କୋଝିକୋଡ଼ ଯାଉଥିଲା। ସକାଳ ପ୍ରାୟ ୬ଟା ୩୦ରେ ଆଭେରେଗେରେ ଗେଟ୍ ନିକଟରେ ହଠାତ୍ ବସ୍ଟି ନିୟନ୍ତ୍ରଣ ହରାଇ ଏକ୍ସପ୍ରେସ୍ୱେରେ ଲାଗିଥିବା ବଡ଼ ସାଇନବୋର୍ଡକୁ ଧକ୍କା ଦେଇଥିଲା।
ଧକ୍କା ଏତେ ଜୋରଦାର ଥିଲା ଯେ ବସ୍ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ଡ୍ରାଇଭର ଅରୁଣ ଓ କଣ୍ଡକ୍ଟର ଅଖିଳେଶଙ୍କ ମୃତ୍ୟୁ ହୋଇଥିଲା। ଆହତ ୨୫ ଜଣଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି
ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ବିଦାଡି ପୁଲିସ, ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଓଲଟି ପଡ଼ିଥିବା ବସ୍ ଭିତରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି।
ଦୁର୍ଘଟଣା ପରେ ବେଙ୍ଗାଲୁରୁ-ମହୀସୁରୁ ଏକ୍ସପ୍ରେସ୍ୱେରେ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା। ପୁଲିସ ଓ ଜରୁରୀକାଳୀନ ସେବା କର୍ମଚାରୀମାନେ ଦୁର୍ଘଟଣାଗ୍ରସ୍ତ ବସ୍କୁ ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।
ଘଟଣାକୁ ନେଇ ବିଦାଡି ଥାନାରେ ମାମଲା ରୁଜୁ ହୋଇଛି। ବସ୍ଟି କେଉଁ କାରଣରୁ ନିୟନ୍ତ୍ରଣ ହରାଇଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।




