ରାଜନଗର: ନିର୍ମାଣର ମାତ୍ର ଦୁଇ ବର୍ଷ ନପୁରୁଣୁ ଶୋଚନୀୟ ହୋଇପଡ଼ିଛି ରାସ୍ତା। କୋଟି କୋଟି ଟଙ୍କାର ବ୍ୟୟବରାଦ ସତ୍ତ୍ୱେ ନିମ୍ନମାନର କାମ ଯୋଗୁଁ ଏବେ ବିପଦପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ବାଇପାସ୍ ରାସ୍ତା। ରାଜନଗର ବଜାରର ପ୍ରବଳ ଭିଡ଼ ନିୟନ୍ତ୍ରଣ କରିବା ଏବଂ ଗମନାଗମନକୁ ସହଜ କରିବା ଉଦ୍ଦେଶ୍ୟରେ ସରକାର ଏହି ବାଇପାସ୍ ରାସ୍ତା ନିର୍ମାଣ କରିଥିଲେ। ମାତ୍ର ଆଜି ଏହି ରାସ୍ତା ଦେଇ ଚାରିଚକିଆ ଯାନ ଯିବା ଦୂରର କଥା, ପାଦରେ ଚାଲି ଚାଲି ଯିବା ମଧ୍ୟ ଦୁରୂହ ହୋଇପଡ଼ିଛି।
ସୂଚନା ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ (R&B) ପକ୍ଷରୁ ପ୍ରାୟ ୧୭୦୦ ମିଟର ଦୀର୍ଘ ଏହି ବାଇପାସ୍ ରାସ୍ତା ନିର୍ମାଣ ପାଇଁ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ପ୍ରତ୍ୟେକ ଦିନ ଶହ ଶହ ଗାଡ଼ି ମୋଟର ଏବଂ ହଜାର ହଜାର ସ୍ଥାନୀୟ ଲୋକ ଏହି ରାସ୍ତା ଉପରେ ନିର୍ଭର କରି ଯାତାୟାତ କରିଥାନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ଅନିୟମିତତା ଓ ମଧୁଚନ୍ଦ୍ରିକା ଯୋଗୁଁ ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର କରି କାମ ଶେଷ କରାଯାଇଥିବା ଅଭିଯୋଗ ହୋଇଛି।
ଖାଲି ସେତିକି ନୁହେଁ, ଗତ ଆର୍ଥିକ ବର୍ଷରେ ମଧ୍ୟ ରାସ୍ତା ମରାମତି ଓ ନିର୍ମାଣ ନାଁରେ ପ୍ରାୟ ୫୦ ଲକ୍ଷ ଟଙ୍କାର କାମ ଦର୍ଶାଇ ଅର୍ଥ ଆତ୍ମସାତ୍ କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ନିର୍ମାଣର ମାତ୍ର ଦୁଇ ବର୍ଷ ମଧ୍ୟରେ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ମରଣଜନ୍ତା ସଦୃଶ ପାଲଟିଛି। ରାସ୍ତାର ଏଭଳି ଦୟନୀୟ ଅବସ୍ଥାକୁ ନେଇ ରାଜନଗରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାସ୍ତାର ସ୍ଥାୟୀ ପୁନଃନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।




