ସମ୍ବଲପୁର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ସ୍ଥିତିକୁ ନଜରରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲିଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ମହାନଦୀକୁ ନିଷ୍କାସିତ ହେଉଛି। ଫଳରେ ମହାନଦୀ ନିଶ୍ଚିତ ଭାବେ ଫୁଲିବାରେ ଲାଗିଛି।

ଅନ୍ୟପଟେ, ଲଗାଣ ବର୍ଷା ପ୍ରଭାବରେ ବୈତରଣୀ ନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବା ପୁଣି ଥରେ ଭୟର ବାତାବରଣ ସୃଷ୍ଟି କରିଛି। ଭଦ୍ରକ ଜିଲ୍ଲା ଆଖୁଆପଦା ନିକଟରେ ବୈତରଣୀ ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ି ସତର୍କ ସଙ୍କେତ ଡେଇଁପାରିଛି, ଯାହା ପ୍ରଶାସନ ପାଇଁ ଗଭୀର ଚିନ୍ତାର ବିଷୟ ପାଲଟିଛି। ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଲକର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ନାହିଁ ନଥିବା ଆତଙ୍କିତ ଅବସ୍ଥାରେ ଅଛନ୍ତି।

ନଦୀକୂଳିଆ ଗାଁଗୁଡ଼ିକରେ ବନ୍ୟାପାଣି ପଶିବା ସହ ଶହ ଶହ ଏକର ଚାଷଜମି ଜଳମଗ୍ନ ହେବାର ବଡ଼ ଆଶଙ୍କା ଦେଖାଦେଇଛି। ବିଶେଷକରି ଧାନ ତଳି ଓ କ୍ଷେତରେ ପାଣି ମାଡ଼ିଯିବା ଭୟରେ ଚାଷୀକୂଳ ହତାଶ ହୋଇପଡ଼ିଛନ୍ତି।

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛି। ଜଳସମ୍ପଦ ବିଭାଗ ପକ୍ଷରୁ ନଦୀବନ୍ଧଗୁଡ଼ିକର ସୁରକ୍ଷା ଓ ଦୁର୍ବଳ ପଏଣ୍ଟ ଯାଞ୍ଚ କରାଯାଉଛି। ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ସତର୍କ କରାଯାଉଥିବା ବେଳେ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି।