ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନର ପ୍ରଭାବ ମୁକାବିଲା ସହ ସବୁଜ ଓ ସ୍ଥାୟୀ ବିକାଶ ଦିଗରେ ଯୁବପିଢ଼ି ନେତୃତ୍ୱ ନେବା ଆବଶ୍ୟକ ବୋଲି ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବା, ଅକ୍ଷୟ ଶକ୍ତିର ବ୍ୟବହାର ବଢ଼ାଇବା, ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବା ଏବଂ ନୂଆ ରୋଜଗାର ସୁଯୋଗ ସୃଷ୍ଟି କରିବା ଦିଗରେ ଯୁବପିଢ଼ି ସକ୍ରିୟ ହେବାକୁ ସେ ଆହ୍ୱାନ ଦେଇଛନ୍ତି।

ସୋମବାର ଜଟଣୀସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍‌ (OCOY) ୪.୦ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହାର ଉଦ୍‌ଘାଟନ କରିଥିଲେ।

ରାଜ୍ୟପାଳ କହିଥିଲେ ଯେ, ଯୁବପିଢ଼ିଙ୍କ ଶକ୍ତି, ସୃଜନଶୀଳତା ଓ ନୂଆ ଚିନ୍ତାଧାରାକୁ ସକାରାତ୍ମକ କାର୍ଯ୍ୟରେ ବିନିଯୋଗ କରାଗଲେ ‘ବିକଶିତ ଭାରତ @୨୦୪୭’ର ଲକ୍ଷ୍ୟ ପୂରଣ ଦିଗରେ ଦେଶ ଆହୁରି ଆଗକୁ ବଢ଼ିପାରିବ।

ସେ ଯୁବପିଢ଼ିଙ୍କୁ ୩-ଆର୍‌ ନୀତି—‘Reduce, Reuse and Recycle’ ଅନୁସରଣ କରିବା ସହ ‘ମିଶନ ଲାଇଫ୍‌’କୁ ନିଜ ଜୀବନଶୈଳୀର ଅଂଶ କରିବାକୁ ଆହ୍ୱାନ ଦେଇଥିଲେ।

୨୦୩୦ ସୁଦ୍ଧା ପ୍ରତି ଜିଲ୍ଲାରେ ଜଳବାୟୁ ସହନଶୀଳତା କାର୍ଯ୍ୟକ୍ରମ

ରାଜ୍ୟପାଳ ‘Mission 30 by 30’ର ଆହ୍ୱାନ ଦେଇ ୨୦୩୦ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଜଳବାୟୁ ସହନଶୀଳତା ସମ୍ପର୍କିତ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଯୁବପିଢ଼ିଙ୍କୁ କହିଥିଲେ।

ସ୍ଥାନୀୟ ଜ୍ଞାନ ଓ ପାରମ୍ପରିକ ଜ୍ଞାନକୌଶଳ ସହ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିକୁ ଯୋଡ଼ି ପ୍ରତ୍ୟେକ ଜିଲ୍ଲାର ପରିବେଶ ସମ୍ପର୍କିତ ସମସ୍ୟାର ସ୍ଥାନୀୟ ସମାଧାନ ଖୋଜିବାକୁ ସେ ପରାମର୍ଶ ଦେଇଥିଲେ।

ବର୍ଜ୍ୟ ପରିଚାଳନା, ଅକ୍ଷୟ ଶକ୍ତି, ସ୍ଥାୟୀ କୃଷି ଓ ଜଳବାୟୁ ସହନଶୀଳତା କ୍ଷେତ୍ରରେ ନୂଆ ଚିନ୍ତାଧାରା ଓ ଉଦ୍ଭାବନ ମାଧ୍ୟମରେ ଯୁବପିଢ଼ି ରୋଜଗାର ସୃଷ୍ଟି ସହ ପରିବେଶ ସୁରକ୍ଷାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟର କୁଳପତି ଡ. ଫାଦର କେ.ଏସ୍‌. କାସିମିର୍‌ ଏସ୍‌ଜେ, ନେକ୍ସସ୍‌ ସିଲେକ୍ଟ ଟ୍ରଷ୍ଟର ଜେନେରାଲ୍‌ ମ୍ୟାନେଜର ତଥା ଇଏସ୍‌ଜି ଆମ୍ବାସାଡର ହର୍ଷା ଭରଦା, ୟୁନିସେଫ୍‌ ଓଡ଼ିଶାର ଫିଲ୍ଡ ଅଫିସ୍‌ ମୁଖ୍ୟ ପ୍ରଶାନ୍ତ କୁମାର ଦାଶ ଏବଂ ସମ୍ଭବର ସହ-ପ୍ରତିଷ୍ଠାତା ସାବରମତୀ ଅପା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ୟୁନିସେଫ୍‌ ଓଡ଼ିଶାର WASH-CCES ବିଶେଷଜ୍ଞ ସିପ୍ରା ସକ୍ସେନା ସ୍ୱାଗତ ଭାଷଣ ଦେଇଥିବା ବେଳେ Youth4Water Plusର ନିର୍ଦ୍ଦେଶକ ବ୍ଲୋରିନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।