କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ ହୋଇଛି। ପ୍ରତିକୂଳ ଓ ଖରାପ ପାଗ ଯୋଗୁଁ ହେଲିକପ୍ଟରଟି ପୂର୍ବ ମେଦିନୀପୁର ଜିଲ୍ଲାର କୋଲାଘାଟଠାରେ ଜରୁରୀକାଳୀନ ଭାବେ ଅବତରଣ କରିବାକୁ ବାଧ୍ୟ ହୋଇଥିଲା।
ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶୁଭେନ୍ଦୁ ଅଧିକାରୀ କୋଲକାତାର ଦମ୍ ଦମ୍ ବିମାନବନ୍ଦରରୁ କେଶପୁର ଅଭିମୁଖେ ହେଲିକପ୍ଟର ଯୋଗେ ଉଡ଼ାଣ ଭରିଥିଲେ। ମାତ୍ର ବାଟରେ ଆକାଶମାର୍ଗରେ ହଠାତ୍ ପାଗ ଖରାପ ହେବା ସହ ଦୃଶ୍ୟମାନତା (Visibility) କମିଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଏବଂ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାଇଲଟ୍ ହେଲିକପ୍ଟରଟିକୁ କୋଲାଘାଟର ଏକ ଖୋଲା ପଡ଼ିଆରେ ନିରାପଦ ଭାବେ ଅବତରଣ କରାଇଥିଲେ।
ସଡ଼କ ପଥରେ ଗଲେ କାର୍ଯ୍ୟକ୍ରମ ସ୍ଥଳକୁ
ରିପୋର୍ଟ ଅନୁଯାୟୀ, ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଖୁଦୀରାମ ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ପାଇଁ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସମାରୋହରେ ଯୋଗଦେବାକୁ ଶୁଭେନ୍ଦୁ ଅଧିକାରୀ କେଶପୁର ଯାଉଥିଲେ। ହେଲିକପ୍ଟରର ନିରାପଦ ଅବତରଣ ପରେ ସେ ସେଠାରୁ ବିଳମ୍ବ ନକରି ପଶ୍ଚିମ ମିଦନାପୁର ଜିଲ୍ଲାର କେଶପୁରରେ ଥିବା କାର୍ଯ୍ୟକ୍ରମ ସ୍ଥଳକୁ ସଡ଼କ ପଥରେ ଗାଡ଼ି ଯୋଗେ ବାହାରି ଯାଇଥିଲେ।
ଏହି ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ଯାତ୍ରୀ ଓ ପାଇଲଟ ସୁରକ୍ଷିତ ଥିବା ଜଣାପଡ଼ିଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ।




