ଭୁବନେଶ୍ୱର: ରାଜ୍ୟରେ ପୂର୍ବ ବର୍ଷ ଅପେକ୍ଷା ରାଜସ୍ୱ ଆଦାୟରେ ବିଶେଷ ବୃଦ୍ଧି ଘଟିଛି। ଚଳିତ ଆର୍ଥିକ ବର୍ଷର ଜୁଲାଇ ମାସ ସୁଦ୍ଧା ପୂର୍ବ ବର୍ଷର ଏହି ସମୟ ତୁଳନାରେ ସମୁଦାୟ ରାଜସ୍ୱ ଆଦାୟ ୭.୩ ପ୍ରତିଶତ ବୃଦ୍ଧି ପାଇଛି। ଲୋକସେବା ଭବନରେ ଅର୍ଥ ବିଭାଗର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ଆଦାୟ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସମୀକ୍ଷା ବୈଠକରେ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟର ରାଜସ୍ୱ ପ୍ରାପ୍ତି ଓ ବ୍ୟୟ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ପ୍ରଦତ୍ତ ସୂଚନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷ ଜୁଲାଇ ଶେଷ ସୁଦ୍ଧା ରାଜ୍ୟର ସମୁଦାୟ ରାଜସ୍ୱ ଆଦାୟ ୬୧,୫୯୩ କୋଟି ଟଙ୍କାରେ ପହଞ୍ଚିଛି।
ରାଜସ୍ୱ ପ୍ରାପ୍ତିର ବିଭିନ୍ନ ଉତ୍ସ:
- କେନ୍ଦ୍ରୀୟ ଅନୁଦାନ: ୧୦ ପ୍ରତିଶତ
- କେନ୍ଦ୍ରୀୟ ଟିକସରେ ଅଂଶ: ୩୧ ପ୍ରତିଶତ
- ନିଜସ୍ୱ ଟିକସ ରାଜସ୍ୱ: ୩୧ ପ୍ରତିଶତ
- ନିଜସ୍ୱ ଅଣରାଜସ୍ୱ ଟିକସ: ୨୮ ପ୍ରତିଶତ
ଗତ ଆର୍ଥିକ ବର୍ଷ ଜୁଲାଇ ତୁଳନାରେ ଚଳିତ ବର୍ଷ ସମୁଦାୟ ନିଜସ୍ୱ ରାଜସ୍ୱ ୧୧.୯% ବୃଦ୍ଧି ପାଇଛି। ସେହିପରି ନିଜସ୍ୱ ଟିକସ ରାଜସ୍ୱରେ ୯.୩% ଏବଂ ଅଣଟିକସ ରାଜସ୍ୱରେ ୧୪.୮% ବୃଦ୍ଧି ରେକର୍ଡ କରାଯାଇଛି।
କେବଳ ରାଜସ୍ୱ ଆଦାୟ ନୁହେଁ, ବରଂ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ହେଉଥିବା ବ୍ୟୟରେ ମଧ୍ୟ ବଡ଼ ଧରଣର ବୃଦ୍ଧି ଘଟିଛି। ଜୁଲାଇ ସୁଦ୍ଧା କାର୍ଯ୍ୟକ୍ରମ ବ୍ୟୟ ପୂର୍ବ ବର୍ଷ ତୁଳନାରେ ୧୯.୧% ଅଧିକ ରହିଛି।
ସେହିପରି ଜୁଲାଇ ଶେଷ ସୁଦ୍ଧା ରାଜ୍ୟର ପୁଞ୍ଜିଗତ ବ୍ୟୟ ୧୧,୩୦୦ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଗତ ବର୍ଷର ଏହି ସମୟ ଅପେକ୍ଷା ୨୦.୨ ପ୍ରତିଶତ ଅଧିକ।
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ ରାଜ୍ୟର ସାମଗ୍ରିକ ଓ ଦୀର୍ଘସ୍ଥାୟୀ ବିକାଶ ପାଇଁ ଏକ ସୁଦୃଢ଼ ଓ ଦକ୍ଷ ରାଜସ୍ୱ ଆଦାୟ ବ୍ୟବସ୍ଥା ନିହାତି ଜରୁରୀ। ଏହାସହ ଭିତ୍ତିଭୂମି ବିକାଶ ପାଇଁ ପୁଞ୍ଜି ଓ କାର୍ଯ୍ୟକ୍ରମ ଖର୍ଚ୍ଚକୁ ବ୍ୟାପକ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି, ଯାହାଦ୍ୱାରା ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଅଧିକ ତ୍ୱରାନ୍ୱିତ ହୋଇପାରିବ।




