ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ରେଳ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଅଧିକ ସୁଦୃଢ଼ ହୋଇଛି। ବାଂଲାଦେଶ ରେଲୱେ ପାଇଁ ଭାରତରେ ନିର୍ମିତ ପ୍ରଥମ ୧୯ଟି କୋଚ୍‌ ବିଶିଷ୍ଟ LHB ବ୍ରଡଗେଜ୍ ପ୍ୟାସେଞ୍ଜର ରେକ୍‌ ଆଜି ପଞ୍ଜାବର କପୁରଥଳାସ୍ଥିତ ରେଲ କୋଚ୍‌ ଫ୍ୟାକ୍ଟ୍ରି (RCF)ରୁ ବାଂଲାଦେଶ ଅଭିମୁଖେ ରବାନା ହେବ। ‘ମେଡ୍ ଇନ୍ ଇଣ୍ଡିଆ’ ପ୍ରକଳ୍ପ ଅଧୀନରେ ବାଂଲାଦେଶକୁ ୨୦୦ଟି ଆଧୁନିକ ବ୍ରଡଗେଜ୍ ପ୍ୟାସେଞ୍ଜର କୋଚ୍‌ ରପ୍ତାନି କରିବା ଚୁକ୍ତିର ଏହା ହେଉଛି ପ୍ରଥମ ପର୍ଯ୍ୟାୟ।

ବାଂଲାଦେଶ ରେଲୱେ ୨୦୨୪ରେ ଭାରତୀୟ ସରକାରୀ ସଂସ୍ଥା RITES କୁ ୨୦୦ଟି LHB କୋଚ୍‌ ଯୋଗାଇବା ପାଇଁ ଅର୍ଡର୍‌ ଦେଇଥିଲା। ଏହି ସମଗ୍ର ଚୁକ୍ତିରେ ୭ଟି ଭିନ୍ନ ଭାରିଆଣ୍ଟର କୋଚ୍‌ ପ୍ରସ୍ତୁତ କରାଯାଉଛି।

ଆଜି ବାଂଲାଦେଶ ପଠାଯାଉଥିବା ପ୍ରଥମ ରେକ୍‌ରେ ମୋଟ ୧୯ଟି କୋଚ୍‌ ରହିଛି:

  • ୩ଟି AC ସ୍ଲିପର୍‌ କୋଚ୍‌
  • ୩ଟି AC ଚେୟାର୍‌ କାର୍‌
  • ୧୧ଟି ନନ୍‌-AC ଚେୟାର୍‌ କାର୍‌
  • ୨ଟି ପାୱାର୍‌ କାର୍‌

ବାଂଲାଦେଶ ପାଇଁ ବିଶେଷ ଡିଜାଇନ୍‌ ଓ ଆଧୁନିକ ସୁବିଧା

LHB କୋଚ୍‌ଗୁଡ଼ିକ ଉଚ୍ଚ ସୁରକ୍ଷା, କମ୍ ମେଣ୍ଟେନାନ୍ସ ଓ ଉନ୍ନତ କାର୍ଯ୍ୟକ୍ଷମତା ପାଇଁ ଜଣାଶୁଣା। ବାଂଲାଦେଶର ସ୍ଥାନୀୟ ପରିଚାଳନା ଓ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଥିରେ କିଛି ସ୍ୱତନ୍ତ୍ର ପରିବର୍ତ୍ତନ କରାଯାଇଛି:

  • ଯାତ୍ରୀ ସୁବିଧା: ରିକ୍ଲାଇନିଂ ସିଟ୍‌, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଆର୍ମରେଷ୍ଟ, ଫୁଟରେଷ୍ଟ, ବେବି କେୟାର୍‌ ରୁମ୍‌ ଏବଂ ପ୍ରାର୍ଥନା କକ୍ଷର ବ୍ୟବସ୍ଥା।
  • ସୁରକ୍ଷା ଓ ସର୍ଭେଲାନ୍ସ: AC କୋଚ୍‌ରେ CCTV ସର୍ଭିଲାନ୍ସ, ଫ୍ୟାନ୍‌, ପ୍ୟାସେଞ୍ଜର ଆଲାର୍ମ ସିଷ୍ଟମ୍ ଏବଂ ଆଂଶିକ ଖୋଲିପାରୁଥିବା ଝରକା।
  • ମଜବୁତ ଛାତ ଓ ସେଫ୍ଟି ଷ୍ଟାଣ୍ଡାର୍ଡ: ପିକ୍‌ ଟ୍ରାଫିକ୍‌ ସମୟରେ ଅଧିକ ଭାର ସହିବା ପାଇଁ କୋଚ୍‌ର ଛାତକୁ ଶକ୍ତ କରାଯାଇଛି। କ୍ରାଶ୍‌ୱର୍ଥି ଡିଜାଇନ୍‌ ସହ EN 15227 ୟୁରୋପିଆନ୍‌ ସେଫ୍ଟି ଷ୍ଟାଣ୍ଡାର୍ଡ ଅନୁସାରେ ଏହା ନିର୍ମିତ।
  • ଇଲେକ୍ଟ୍ରିକାଲ୍ ସିଷ୍ଟମ୍: ଭାରତୀୟ ରେଳର ୭୫୦ ଭୋଲ୍ଟ ବଦଳରେ ବାଂଲାଦେଶର ଆବଶ୍ୟକତା ଅନୁଯାୟୀ ଏହି କୋଚ୍‌ଗୁଡ଼ିକୁ ୪୧୫ ଭୋଲ୍ଟ ସିଷ୍ଟମ୍‌ ପାଇଁ ଡିଜାଇନ୍‌ କରାଯାଇଛି।

RITES ପୂର୍ବରୁ ବାଂଲାଦେଶକୁ ୧୨୦ଟି LHB କୋଚ୍‌ ଏବଂ ୪୬ଟି ଲୋକୋମୋଟିଭ୍ ଯୋଗାଇ ସାରିଛି। ଏହି ପ୍ରଥମ ରେକ୍‌ ପରେ ଆସନ୍ତା ଆର୍ଥିକ ବର୍ଷରେ ଆଉ ୩ରୁ ୪ଟି ରେକ୍‌ ବାଂଲାଦେଶ ପଠାଯିବାକୁ ଲକ୍ଷ୍ୟ ରଖାଯାଇଛି, ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଓ ଆଞ୍ଚଳିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ।