ଭୁବନେଶ୍ୱର: ପାରମ୍ପରିକ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ ଓ ସୁଲଭ କରିବା ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜଧାନୀ ଭୁବନେଶ୍ୱରର ନାଗେଶ୍ୱର ଟାଙ୍ଗୀସ୍ଥିତ ସରକାରୀ ଆୟୁର୍ବେଦିକ ହସ୍ପିଟାଲର ଶଯ୍ୟା ସଂଖ୍ୟାକୁ ୧୦୦କୁ ବୃଦ୍ଧି କରାଯିବା ନେଇ ଘୋଷଣା କରାଯାଇଛି। ଗୁରୁବାର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଏହି ପୁନଃନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଭିତ୍ତିଭୂମିର ବିକାଶ ନୁହେଁ, ବରଂ ଜନସାଧାରଣଙ୍କୁ ସୁଲଭ ଓ ଗୁଣାତ୍ମକ ଆୟୁଷ ଚିକିତ୍ସା ଯୋଗାଇଦେବା ପାଇଁ ସରକାରଙ୍କ ଏକ ଆନ୍ତରିକ ପ୍ରତିବଦ୍ଧତା।

୧୫ ମାସ ମଧ୍ୟରେ ଶେଷ ହେବ ନିର୍ମାଣ କାମ

ବର୍ତ୍ତମାନ ଏହି ହସ୍ପିଟାଲରେ ୪୩ଟି ଶଯ୍ୟା ରହିଥିବା ବେଳେ ରାଜଧାନୀରେ ବୃଦ୍ଧି ପାଉଥିବା ଆୟୁର୍ବେଦିକ ଚିକିତ୍ସା ଚାହିଦାକୁ ଦୃଷ୍ଟିରେ ରଖି ଏହାର କ୍ଷମତା ଦୁଇଗୁଣରୁ ଅଧିକ କରାଯାଉଛି। ସାମଲ ଇଞ୍ଜିନିୟରିଂ ଆଣ୍ଡ କନସଲଟାଣ୍ଟ ପକ୍ଷରୁ ନିର୍ମାଣ କରାଯିବାକୁ ଥିବା ଏହି ନୂତନ ହସ୍ପିଟାଲ କୋଠା ଆସନ୍ତା ୧୫ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ଆୟୁଷ୍ମାନ କାର୍ଡ ଯୋଜନାରେ ସାମିଲ ନେଇ ବିଚାର

କାର୍ଯ୍ୟକ୍ରମ ସମୟରେ ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ଆୟୁର୍ବେଦିକ ଚିକିତ୍ସାକୁ ‘ଆୟୁଷ୍ମାନ କାର୍ଡ’ ଯୋଜନା ଅଧୀନକୁ ଆଣିବା ପାଇଁ ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି। ଏହାଦ୍ୱାରା ଯୋଗ୍ୟ ହିତାଧିକାରୀମାନେ ବିନା କୌଣସି ଆର୍ଥିକ ବୋଝରେ ମାଗଣାରେ ଗୁଣାତ୍ମକ ଆୟୁର୍ବେଦିକ ଚିକିତ୍ସା ସେବା ପାଇପାରିବେ।

ଏହି ଶିଳାନ୍ୟାସ ଉତ୍ସବରେ ଏକାମ୍ର ବିଧାୟକ ବାବୁ ସିଂହ ଯୋଗଦେଇଥିଲେ ଏବଂ ମନ୍ତ୍ରୀ ଡଃ ମହାଲିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ଏହି ଉନ୍ନୀତ ହସ୍ପିଟାଲ ଦ୍ୱାରା ବିଜେବି ନଗର, ନାଗେଶ୍ୱର ଟାଙ୍ଗୀ, ଲିଙ୍ଗରାଜ, ଶହୀଦ ନଗର, ରସୁଲଗଡ଼, ନୟାପଲ୍ଲୀ ଏବଂ ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ସିଧାସଳଖ ଉପକୃତ ହେବେ।

ନୂତନ ଭାବେ ନିର୍ମିତ ହେବାକୁ ଥିବା ଏହି ହସ୍ପିଟାଲରେ ମଧୁମେହ, ଗଣ୍ଠି ବାତ, ଏବଂ ପାଚନ ସମ୍ପର୍କିତ ଜଟିଳ ରୋଗର ବିଶେଷ ଚିକିତ୍ସା ଯୋଗାଇ ଦିଆଯିବ। ଏଥିସହିତ ମାଗଣା ରକ୍ତ ପରୀକ୍ଷା ସେବା ମଧ୍ୟ ଜାରି ରହିବ।