ନୂଆଦିଲ୍ଲୀ: ସଂସଦର ରାଜ୍ୟସଭାରେ ଆଜି ଉତ୍ତରାଖଣ୍ଡର ହଲଦ୍ବାନୀ ପଡ଼ିଆ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ପ୍ରବଳ ହଟଚମଟ ଓ ଉତ୍ତେଜନା ଦେଖିବାକୁ ମିଳିଛି। କଂଗ୍ରେସ ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କ ରାଲି ପରେ ପଡ଼ିଆକୁ ଶୁଦ୍ଧିକରଣ କରାଯିବା ଘଟଣାକୁ ଗୃହରେ ଜୋରଦାର ଉଠାଇ କେନ୍ଦ୍ର ସରକାର ଓ ବିଜେପି ଉପରେ କଡ଼ା ବର୍ଷିଛନ୍ତି।

ଗତ ଅଗଷ୍ଟ ୮ ତାରିଖରେ ହଲଦ୍ୱାନୀର ରାମଲୀଳା ଗ୍ରାଉଣ୍ଡରେ ମଲ୍ଲିକାର୍ଜୁନ ଖଡ଼ଗେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ତେବେ ତାଙ୍କ ଗସ୍ତର ଦୁଇ ଦିନ ପରେ (ଅଗଷ୍ଟ ୧୦ରେ) ‘ଶ୍ରୀ ରାମ ସେନା ଧାର୍ମିକ ସେବା ନ୍ୟାସ’ ନାମକ ଏକ ସଂଗଠନ ପକ୍ଷରୁ ସେହି ସ୍ଥାନରେ ଏକ ‘ହବନ’ ବା ଶୁଦ୍ଧିକରଣ ଯଜ୍ଞ କରାଯାଇଥିଲା। ଏହାକୁ ନେଇ କଂଗ୍ରେସ ପ୍ରବଳ ବିରୋଧ କରିବା ସହ ଏହା ପଛରେ ବିଜେପିର ହାତ ଥିବା ସିଧାସଳଖ ଅଭିଯୋଗ ଆଣିଛି।

ଗୁରୁବାର ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ଖଡ଼ଗେ କହିଛନ୍ତି, “ମୋର ଜନସଭାରେ ଲକ୍ଷାଧିକ ଲୋକ ସାମିଲ ହୋଇଥିଲେ। ମୁଁ କୌଣସି ଧର୍ମ ବା ସମ୍ପ୍ରଦାୟ ବିରୋଧରେ କିଛି କହି ନଥିଲି। କିନ୍ତୁ ମୋ ଭାଷଣ ପରେ ସେହି ମଞ୍ଚକୁ ଶୁଦ୍ଧିକରଣ କରାଯିବା କେତେଦୂର ଯୁକ୍ତିଯୁକ୍ତ? ଏହା କ’ଣ ଗଣତନ୍ତ୍ର? ସରକାର ସମ୍ବିଧାନକୁ କିପରି ସୁରକ୍ଷା ଦେଉଛନ୍ତି?” ବୋଲି ସେ ପ୍ରଶ୍ନ କରିଛନ୍ତି।

ଖଡ଼ଗେଙ୍କ ଅଭିଯୋଗ ପରେ ଗୃହର ନେତା ଜେପି ନଡ୍ଡା ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ଏଭଳି କାର୍ଯ୍ୟକଳାପକୁ ଆଦୌ ସମର୍ଥନ କରେ ନାହିଁ ଏବଂ ଏହା ବାସ୍ତବରେ ଏକ ଦୁଃଖଦାୟକ ଘଟଣା। ଏହି ଘଟଣାର ଉଚିତ ତଦନ୍ତ କରାଯିବ ଏବଂ ଏହା ଉପରେ ଗୁରୁତ୍ୱର ସହ ବିଚାର କରାଯିବ ବୋଲି ନଡ୍ଡା ଗୃହକୁ ଆଶ୍ୱାସନା ଦେଇଛନ୍ତି।

ଅନ୍ୟପଟେ ଶ୍ରୀ ରାମ ସେନା ସଂଗଠନର ସଦସ୍ୟମାନେ ଦାବି କରିଛନ୍ତି ଯେ, ଏହି ପଡ଼ିଆର ଏକ ଧାର୍ମିକ ଓ ସାଂସ୍କୃତିକ ଗୁରୁତ୍ୱ ରହିଛି, ତେଣୁ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଏହାର ବ୍ୟବହାରକୁ ସେମାନେ ବିରୋଧ କରୁଛନ୍ତି। ଏଥିସହ ଖଡ଼ଗେଙ୍କ ସଭାରେ ବିବାଦୀୟ ସ୍ଲୋଗାନ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ରାଜ୍ୟ ସଭାପତି ଗଣେଶ ଗୋଦିୟାଲ ଏହି ଘଟଣା ପାଇଁ ପୁଲିସ ଓ ପ୍ରଶାସନର ଭୂମିକା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।