ଭୁବନେଶ୍ୱର: ଓଡ଼ିଶାର ନୂଆ ପୁଲିସ ଡିଜି ଚୟନ ପ୍ରକ୍ରିୟାକୁ ନେଇ ବଡ଼ ମୋଡ଼ ଆସିଛି। ଅଗଷ୍ଟ ୧୮ ପର୍ଯ୍ୟନ୍ତ ଡିଜିପି ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ନଦେବାକୁ ୟୁପିଏସ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଫଳରେ ଗୁରୁବାର ହେବାକୁ ଥିବା ୟୁପିଏସ୍ସିର ନିର୍ଦ୍ଧାରିତ ବୈଠକ ଉପରେ ସାମୟିକ ରୋକ୍ ଲାଗିଛି।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଆସନ୍ତା ୧୮ ଅଗଷ୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଡିଜିପି ଚୟନକୁ ନେଇ କ’ଣ ଅଭିଯୋଗ?
ଓଡ଼ିଶାର ନୂଆ ଡିଜିପି ଚୟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୟୁପିଏସ୍ସିକୁ ପଠାଯାଇଥିବା ନାମ ତାଲିକାରେ ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ଡିଜିପି ଚୟନ ପ୍ରକ୍ରିୟାର ଆଇନଗତ ବୈଧତା ଉପରେ ପ୍ରଶ୍ନ ଉଠାଯାଇଛି।
ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ରଖି କହିଥିଲେ ଯେ, ୟୁପିଏସ୍ସିର ଏମ୍ପାନେଲମେଣ୍ଟ କମିଟି ନୂଆ ଡିଜିପି ପଦ ପାଇଁ ନାମ ଚୂଡ଼ାନ୍ତ କରିବାକୁ ଥିବାରୁ ମାମଲାର ତୁରନ୍ତ ଶୁଣାଣି ଆବଶ୍ୟକ।
ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟ କହିଥିଲେ ଯେ, ଡିଜିପି ଚୟନ ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ। ସମସ୍ତ ପ୍ରକ୍ରିୟା ନିୟମ ଅନୁଯାୟୀ ଚାଲିଥିବା ସେ ଅଦାଲତଙ୍କୁ ଜଣାଇଥିଲେ। ଏହାସହ ଜନସ୍ୱାର୍ଥ ମାମଲାର ଗ୍ରହଣଯୋଗ୍ୟତା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ।
ଆମିକସ୍ କ୍ୟୁରିଙ୍କ ମତ ଶୁଣିଲେ କୋର୍ଟ
ଶୁଣାଣି ସମୟରେ ‘ପ୍ରକାଶ ସିଂହ’ ମାମଲାରେ ଆମିକସ୍ କ୍ୟୁରି ଥିବା ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ମତାମତ ନେଇଥିଲେ ଖଣ୍ଡପୀଠ। ସେ ଆବେଦନକୁ ସମର୍ଥନ କରି କହିଥିଲେ ଯେ, ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ହେଉଥିବା ଅଭିଯୋଗ ରହିଛି।
ଏହାପରେ ଖଣ୍ଡପୀଠ ୟୁପିଏସ୍ସି ପକ୍ଷରୁ ଉପସ୍ଥିତ ଆଇନଜୀବୀଙ୍କୁ ଗୁରୁବାର ନିର୍ଦ୍ଧାରିତ ବୈଠକକୁ ସ୍ଥଗିତ ରଖିବାକୁ କହିଥିଲେ। ତେବେ କୋର୍ଟ ଚୟନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରିନାହାନ୍ତି। କେବଳ ଅଗଷ୍ଟ ୧୮ ପୂର୍ବରୁ ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ ନକରିବାକୁ ସ୍ପଷ୍ଟ କରିଛନ୍ତି।
୧୬ରେ ଅବସର ନେବେ ବର୍ତ୍ତମାନର ଡିଜିପି
ଏହି ମାମଲାର ଗୁରୁତ୍ୱ ଏଥିପାଇଁ ବଢ଼ିଛି ଯେ, ବର୍ତ୍ତମାନର ଓଡ଼ିଶା ପୁଲିସ ଡିଜି ୱାଇ. ବି. ଖୁରାନିଆ ଅଗଷ୍ଟ ୧୬ରେ ଅବସର ନେବାକୁ ଯାଉଛନ୍ତି। ଏହା ପୂର୍ବରୁ ନୂଆ ଡିଜିପି ଚୟନ ଚୂଡ଼ାନ୍ତ ନହେଲେ, ରାଜ୍ୟ ସରକାରଙ୍କୁ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ କାମଚଳା ଡିଜି ଭାବେ ଦାୟିତ୍ୱ ଦେବାକୁ ପଡ଼ିପାରେ।
ତେଣୁ ଅଗଷ୍ଟ ୧୮ରେ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ଓଡ଼ିଶାର ନୂଆ ପୁଲିସ ଡିଜି ଚୟନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି। ସେହି ଶୁଣାଣି ପରେ ଚୟନ ପ୍ରକ୍ରିୟା କେଉଁ ଦିଗକୁ ଯିବ, ତାହା ସ୍ପଷ୍ଟ ହେବ।




