ମୟୂରଭଞ୍ଜ: ଲଗାଣ ବର୍ଷା ଓ ଉପରମୁଣ୍ଡରୁ ମାଡ଼ିଆସିଥିବା ପ୍ରବଳ ବନ୍ୟାଜଳ ଯୋଗୁଁ ବୁଢ଼ାବଳଙ୍ଗ ନଦୀ ଉଛୁଳି ଉଠିଛି। ନଦୀର ପ୍ରଚଣ୍ଡ ପ୍ରଭାବରେ ବେତନଟୀ ବ୍ଲକ୍‌ର ନଦୀକୂଳିଆ ଅଞ୍ଚଳରେ ଏକ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ବ୍ଲକ୍‌ର ପ୍ରାୟ ୧୬ଟି ପଞ୍ଚାୟତ ବନ୍ୟା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ଅନେକ ଗାଁ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇପଡ଼ିଛି।

ପୂର୍ବରୁ ଫାଇଲିନ୍ ବାତ୍ୟା ସମୟରେ ବୁଢ଼ାବଳଙ୍ଗରେ ଏଭଳି ବନ୍ୟା ଦେଖିବାକୁ ମିଳିଥିଲା। ଦୀର୍ଘ ଦିନ ପରେ ପୁଣି ଥରେ ନଦୀର ଏପରି ଭୟଙ୍କର ରୂପ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି।

ରାତି ବଢ଼ିବା ସହ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିଲା ଏବଂ ସକାଳ ହେବା ବେଳକୁ ବନ୍ୟାପାଣି ନଦୀକୂଳିଆ ଗାଁଗୁଡ଼ିକରେ ପଶିଯାଇଥିଲା। ଶହ ଶହ ହେକ୍ଟର ଚାଷଜମି ପାଣିରେ ବୁଡ଼ି ରହିଥିବା ବେଳେ ପ୍ରମୁଖ ରାସ୍ତାଘାଟରେ ବନ୍ୟାଜଳ ପ୍ରବାହିତ ହେଉଛି।

ବନ୍ୟାର ସବୁଠାରୁ ବିପଜ୍ଜନକ ଚିତ୍ର ବେତନଟୀ ବ୍ଲକ୍‌ର ବହୁ ପୁରୁଣା ନାଖରା ସେତୁ ନିକଟରେ ଦେଖିବାକୁ ମିଳିଛି। ସେତୁ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ବ୍ୟସ୍ତବହୁଳ ବୈଶିଙ୍ଗା ମାଣତ୍ରୀ ଉଦଳା ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବନ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ଥିତି ଗମ୍ଭୀର ଥିବାରୁ ଗତକାଲି ରାତିସାରା ସ୍ଥାନୀୟ ବିଧାୟକ, ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ଏସ୍‌ପି ଗ୍ରାଉଣ୍ଡ ଜିରୋରେ ଉପସ୍ଥିତ ରହି ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ।

ଆଜି ମଧ୍ୟାହ୍ନରେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ନିଜେ ଟ୍ରାକ୍ଟରରେ ବସି ବିପଦସଂକୁଳ ନାଖରା ସେତୁ ନିକଟକୁ ଯାଇ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଉଦ୍ଧାର, ରିଲିଫ୍‌ ଏବଂ ଜନସୁରକ୍ଷା ବ୍ୟବସ୍ଥାର ତଦାରଖ କରାଯାଉଛି। ତେବେ ବୁଢ଼ାବଳଙ୍ଗର ଜଳସ୍ତର ଆହୁରି ବୃଦ୍ଧି ପାଇଲେ ପରିସ୍ଥିତି ଅଧିକ ସଙ୍କଟଜନକ ହେବାର ଆଶଙ୍କା ଥିବାରୁ ସମସ୍ତଙ୍କ ନଜର ଏବେ ନଦୀର ଜଳସ୍ତର ଉପରେ ରହିଛି।