ଭୁବନେଶ୍ୱର: ରାଜ୍ୟରେ ଗ୍ରାମାଞ୍ଚଳ ଓ ଦୁର୍ଗମ ସଂଯୋଗୀକରଣକୁ ମଜବୁତ କରିବା ପାଇଁ ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କମ୍ପାନି ପକ୍ଷରୁ ଓଡ଼ିଶାରେ ୧,୭୪୧ଟି ନୂଆ ୪ଜି ଟାୱାର ସ୍ଥାପନ କରାଯାଇସାରିଥିବା ବେଳେ ୨,୪୮୭ଟି ଅପହଞ୍ଚ ଓ ଦୁର୍ଗମ ଗ୍ରାମରେ ୪ଜି ସେବା ଯୋଗାଇ ଦିଆଯାଉଛି।
ଆସନ୍ତା ୨୦୨୭ ମାର୍ଚ୍ଚ ସୁଦ୍ଧା ଆଉ ୮୬୫ଟି ନୂଆ ଗାଁରେ ୪ଜି ସେବା ପହଞ୍ଚାଇବାକୁ BSNL ଲକ୍ଷ୍ୟ ରଖିଛି ବୋଲି BSNL ଓଡ଼ିଶା ସର୍କଲର ସିଜିଏମ୍ ଡି.କେ. ବେହେରା ସୂଚନା ଦେଇଛନ୍ତି।
ଚଳିତ ଆର୍ଥିକ ବର୍ଷରେ କମ୍ପାନି ୧,୦୦୦ ନୂଆ ଟାୱାର ବସାଇବାକୁ ଯୋଜନା ରଖିଛି। ଏହି ନୂଆ ଟାୱାରଗୁଡ଼ିକ ମୁଖ୍ୟତଃ କୋରାପୁଟ, କଳାହାଣ୍ଡି, ରାୟଗଡ଼ା ଓ କେନ୍ଦୁଝର ଜିଲ୍ଲାର ଗ୍ରାମାଞ୍ଚଳଗୁଡ଼ିକରେ ସ୍ଥାପିତ ହେବ। ରାଜ୍ୟରେ ବର୍ତ୍ତମାନ BSNLର ୫,୮୦୦ଟି ଟାୱାର ଏବଂ ୧୬,୦୦୦ ବେସ୍ ଷ୍ଟେସନ କାର୍ଯ୍ୟକ୍ଷମ ରହିଛି।
ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ BSNL ପକ୍ଷରୁ କିଛି ନୂଆ ଅଫର ଘୋଷଣା କରାଯାଇଛି, ଯାହା ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ବୈଧ ରହିବ:
ମାତ୍ର ୧ ଟଙ୍କାରେ ନୂଆ ସଂଯୋଗ ମିଳିବ। ଏଥିରେ ୨୪ ଦିନର ଭାଲିଡିଟି ସହ ଦୈନିକ ୧GB ଡାଟା, ୧୦୦ଟି SMS ଏବଂ ଅସୀମିତ ଭଏସ୍ କଲ୍ ସୁବିଧା ରହିଛି। ମାସିକ ₹୧,୧୧୧ ପ୍ରିପେଡ୍/ପୋଷ୍ଟପେଡ୍ ପ୍ଲାନରେ ୨୦୦ Mbps ସ୍ପିଡ୍, ମାସକୁ ୫,୦୦୦ GB ଡାଟା ଏବଂ ୨୫ରୁ ଅଧିକ ପ୍ରିମିୟମ୍ OTT ସେବା ପ୍ରଦାନ କରାଯାଉଛି।
ଏହା ବ୍ୟତୀତ BSNL ସେଲ୍ଫ କେୟାର ଆପ୍ରେ ‘BSNL ଏଣ୍ଟରଟେନ୍ମେଣ୍ଟ୍ ଟିଭି’ (ଟାଙ୍ଗୋ ଦ୍ୱାରା ପରିଚାଳିତ) ଏବଂ ‘BSNL ସାଟେଲାଇଟ୍ ଫୋନ୍ ସେବା’ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ କମ୍ପାନିର ମହାପ୍ରବନ୍ଧକ ଗୁରୁଦାସ ମେହେର, IFA ହେମବୟ ହେମ୍ବ୍ରମ ଓ ଭାରତନେଟ୍ର PGM ଆଇ.ଜି. ସୋରେନ ଉପସ୍ଥିତ ଥିଲେ।




