ନୂଆଦିଲ୍ଲୀ: ଭାରତର ୮୦ତମ ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ରାଜଧାନୀ ନୂଆଦିଲ୍ଲୀରେ ଏକ ସମ୍ବେଦନଶୀଳ ଓ ଭୟାନକ ଇମେଲ୍ ଧମକ ସମଗ୍ର ସୁରକ୍ଷା ବ୍ୟବସ୍ଥାକୁ ଚକିତ କରିଦେଇଛି। ଦିଲ୍ଲୀ ହାଇକୋର୍ଟ ସମେତ ରାଜଧାନୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବୋମା ବିସ୍ଫୋରଣ କରାଯିବ ବୋଲି ଏକ ସନ୍ଦିଗ୍ଧ ଇମେଲ୍ ଜରିଆରେ ଧମକ ଦିଆଯାଇଛି।
“Blast Delhi High Court @2:11 PM” ଶୀର୍ଷକରେ ଆସିଥିବା ଏହି ଇମେଲ୍ରେ ଶନିବାର ଅପରାହ୍ନରେ ପ୍ରଥମେ ଦିଲ୍ଲୀ ହାଇକୋର୍ଟ ଏବଂ ତା’ର ଗୋଟିଏ ଘଣ୍ଟା ପରେ ଜିଲ୍ଲା ଅଦାଲତଗୁଡ଼ିକରେ କ୍ରମାଗତ ବିସ୍ଫୋରଣ କରାଯିବ ବୋଲି ଦାବି କରାଯାଇଛି।
ଖାଲିସ୍ତାନ ନାମରେ ପଠାଯାଇଥିବା ଏହି ଧମକପୂର୍ଣ୍ଣ ଇମେଲ୍ରେ ଅଭିଯୋଗ କରାଯାଇଛି ଯେ, ଦିଲ୍ଲୀର ଆଦାଲତଗୁଡ଼ିକ କେବଳ ଶିଖ୍ମାନଙ୍କ ବିରୋଧରେ ମାମଲାର ଶୁଣାଣି କରୁଛନ୍ତି। ଏହାସହ ନୂଆଦିଲ୍ଲୀକୁ ‘ଖାଲିସ୍ତାନ’ରେ ପରିଣତ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି।
ଇମେଲ୍ରେ ଦିଲ୍ଲୀ ହାଇକୋର୍ଟ ବ୍ୟତୀତ ଆଉ ୬ଟି ପ୍ରମୁଖ ସ୍ଥାନକୁ ଟାର୍ଗେଟ୍ କରାଯାଇଛି:
- ଜାମନଗର ହାଉସ୍
- ଝଣ୍ଡେୱାଲାନ୍ ବିଲ୍ଡିଂ
- ସାକେତ କାର୍ଯ୍ୟାଳୟ
- ଜିଲ୍ଲା ମାଜିଷ୍ଟ୍ରେଟ୍ (DM) କାର୍ଯ୍ୟାଳୟ
- ଆଇଜିଆଇ ବିମାନବନ୍ଦର (ଟର୍ମିନାଲ୍-୩)
- ଦିଲ୍ଲୀ କ୍ୟାଣ୍ଟସ୍ଥିତ SDM କାର୍ଯ୍ୟାଳୟ
ଏହା ବ୍ୟତୀତ ଦିଲ୍ଲୀ ମେଟ୍ରୋ ଏବଂ ଅମ୍ବାଲା ଅଭିମୁଖେ ଯାଉଥିବା ଟ୍ରେନ୍ଗୁଡ଼ିକୁ ମଧ୍ୟ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି।
ଖବର ପାଇବା ମାତ୍ରେ ଦିଲ୍ଲୀ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ ଓ ଅଗ୍ନିଶମ ବାହିନୀ ତୁରନ୍ତ ସମସ୍ତ ଚିହ୍ନଟ ସ୍ଥାନରେ ପହଞ୍ଚି ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ସ୍ୱାଧୀନତା ଦିବସ ସମାରୋହକୁ ଦୃଷ୍ଟିରେ ରଖି ସମଗ୍ର ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ତଦନ୍ତକାରୀ ଦଳ ଏହି ଇମେଲ୍ର ମୂଳ ଉତ୍ସ ଖୋଜିବା ପାଇଁ ସାଇବର୍ ସେଲ୍ ସହାୟତାରେ ତଦନ୍ତ ଜାରି ରଖିଛନ୍ତି।




