ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ପୁଣି ଥରେ ବଡ଼ ଧରଣର ବିବାଦ ଦେଖାଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପ୍ରତ୍ୟାର୍ପଣକୁ ନେଇ ଦୁଇ ଦେଶ ମଧ୍ୟରେ ଟାଣପୋଡ଼ା ତୀବ୍ର ହୋଇଛି। ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ତାରିକ୍ ରହମାନ୍ ସ୍ପଷ୍ଟ କରିଛନ୍ତି ଯେ, ଶେଖ୍ ହସିନାଙ୍କୁ ଢାକା ନଫେରାଯିବା ପର୍ଯ୍ୟନ୍ତ ସେ ଭାରତରେ ଆୟୋଜିତ ହେବାକୁ ଥିବା BRICS ସମ୍ମିଳନୀରେ ଯୋଗଦେବେ ନାହିଁ କିମ୍ବା ନୂଆଦିଲ୍ଲୀ ଗସ୍ତ କରିବେ ନାହିଁ।
ଅଗଷ୍ଟ ୧୦ ତାରିଖରେ ଢାକାରେ ଭାରତୀୟ ହାଇକମିଶନର ଦିନେଶ ତ୍ରିବେଦୀଙ୍କ ସହ ହୋଇଥିବା ବୈଠକରେ ତାରିକ୍ ରହମାନ୍ ଏହି କଡ଼ା ସନ୍ଦେଶ ଦେଇଛନ୍ତି। ଦୁଇ ବର୍ଷ ତଳେ ହସିନା ଭାରତରେ ଶରଣ ନେବା ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରାଯାଉଥିବା ବେଳେ, ଏହି ଘଟଣା ସମ୍ପର୍କକୁ ପୁଣି ଥରେ ବିଗାଡ଼ି ଦେଇଛି।
ହସିନାଙ୍କ ସାମ୍ବାଦିକ ସମ୍ମିଳନୀ ପରେ ବଢ଼ିଲା ଅସନ୍ତୋଷ
ହସିନା ଏବଂ ତାଙ୍କ ପୁଅ ସଜୀବ ୱାଜେଦ୍ ଜୟ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଭାରତରେ ଦୁଇ ବର୍ଷର ଶରଣାର୍ଥୀ ଜୀବନ ବିଷୟରେ ଆଲୋଚନା କରିଥିଲେ। ଆସନ୍ତା ଡିସେମ୍ବରରେ ସେ ବାଂଲାଦେଶ ଫେରିବେ ବୋଲି ସଂକଳ୍ପ ନେବା ସହ “ମୋତେ ହତ୍ୟା କରାଯାଇପାରେ” ବୋଲି ଆଶଙ୍କା ପ୍ରକାଶ କରିଥିଲେ।
ଭାରତ ସରକାର ଏହି କାର୍ଯ୍ୟକ୍ରମଠାରୁ ଦୂରତା ରକ୍ଷା କରିଥିଲେ ସୁଦ୍ଧା, ଢାକାରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେହି ଦିନ ହିଁ R&AW ମୁଖ୍ୟ ପରାଗ ଜୈନ, ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହକାରୀ ବ୍ରିଗେଡିୟର ଜେନେରାଲ୍ (ଅବସରପ୍ରାପ୍ତ) ଏସ.କେ.ଏମ. ଶାମସୁଲ ଇସଲାମଙ୍କୁ ଭେଟିଥିଲେ, କିନ୍ତୁ ବାଂଲାଦେଶର ମନୋଭାବ ବେଶ୍ କଠୋର ଥିବା ଜଣାପଡ଼ିଥିଲା।
ଭାରତୀୟ ହାଇକମିଶନର ଦିନେଶ ତ୍ରିବେଦୀ ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବାକୁ ଆଶ୍ୱାସନା ଦେଇଥିଲେ ସୁଦ୍ଧା ତାରିକ୍ ରହମାନ୍ ନିଜ ନିଷ୍ପତ୍ତିରେ ଅଟଳ ଅଛନ୍ତି। ସମ୍ପର୍କ ସ୍ୱାଭାବିକ ହେବା ନେଇ ବର୍ତ୍ତମାନ “୫୦-୫୦” ସମ୍ଭାବନା ରହିଛି ବୋଲି ଢାକା ପକ୍ଷରୁ କୁହାଯାଇଛି।
ଭାରତର ‘ଲୁକ୍ ଇଷ୍ଟ’ ନୀତି ପାଇଁ ବାଂଲାଦେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ, ଅନ୍ୟପଟେ ଢାକା ଏବେ ଚୀନ୍ ଏବଂ ମଲେସିଆ ଆଡ଼କୁ ଢଳୁଥିବା ଦେଖାଯାଉଛି। ଏହି ସ୍ଥିତି ଏବେ ଦୁଇ ଦେଶ ପାଇଁ ବିଶ୍ୱାସ ଓ କୂଟନୈତିକ ସମ୍ପର୍କର ବଡ଼ ପରୀକ୍ଷା ସାଜିଛି।




