ନୂଆଦିଲ୍ଲୀ: ଦେଶ ଆଜି ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଐତିହାସିକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଯୁବପିଢ଼ି, ଶିକ୍ଷା ଏବଂ ଉର୍ଜା କ୍ଷେତ୍ର ପାଇଁ କେତେକ ବଡ଼ ଘୋଷଣା କରିଛନ୍ତି।
୧ କୋଟି ଯୁବପିଢ଼ିଙ୍କୁ ମିଳିବ AI ସ୍କିଲ୍ ଟ୍ରେନିଂ
ବିକଶିତ ଭାରତର ସଂକଳ୍ପରେ ଯୁବଶକ୍ତିଙ୍କ ଭୂମିକାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଯଦି ଦେଶ ଆଗକୁ ବଢ଼ୁଛି, ତେବେ ଏହା ପଛର ପ୍ରେରଣା ଶକ୍ତି ହେଉଛନ୍ତି ଆମର ଯୁବପିଢ଼ି।”
ଯୁବଶକ୍ତିକୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ପାଇଁ ପ୍ରସ୍ତୁତ କରିବାକୁ ସରକାର ଏକ ବଡ଼ ଲକ୍ଷ୍ୟ ରଖିଛନ୍ତି। ଆଗାମୀ ୧ ବର୍ଷ ମଧ୍ୟରେ ଦେଶର ୧ କୋଟି ଯୁବକ-ଯୁବତୀଙ୍କୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସ୍କିଲ୍ ଟ୍ରେନିଂ ଦିଆଯିବ, ଯାହାଦ୍ୱାରା ଭାରତର ଯୁବପିଢ଼ି ବିଶ୍ୱସ୍ତରରେ ଏଆଇ କ୍ଷେତ୍ରର ନେତୃତ୍ୱ ନେବାକୁ ସକ୍ଷମ ହୋଇପାରିବେ।
ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଉପରୁ ପ୍ରତିଯୋଗିତାମୂଳକ କୋଚିଂର ଆର୍ଥିକ ଓ ମାନସିକ ବୋଝ କମାଇବା ପାଇଁ ସରକାର ମାଗଣା ଅନଲାଇନ୍ କୋଚିଂ ସେବାର ଏକ ବୃହତ୍ ନେଟୱର୍କ ଗଠନ କରିବେ। ଆଜିକାଲି କୋଚିଂ ଏକ ପ୍ରତିଷ୍ଠାର ପ୍ରତିଯୋଗିତାରେ ପରିଣତ ହୋଇଥିବାରୁ ଏହା ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ପିଲାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଭବିଷ୍ୟତ ନୀତି, MSME ଏବଂ ପରମାଣୁ ଉର୍ଜା ଲକ୍ଷ୍ୟ
- ନୂଆ ନୀତି ଓ ନିୟମ: ଆଗାମୀ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦେଶରେ ନୀତି ଏବଂ ନିୟମ ସଂଶୋଧନ କରାଯିବ। ଭାରତର ସ୍ଥିର ରାଜନୈତିକ ଜନାଦେଶ, ମଜବୁତ୍ ସମ୍ବିଧାନ ଏବଂ ସମ୍ପ୍ରତି ହୋଇଥିବା ବାଣିଜ୍ୟିକ ଚୁକ୍ତିଗୁଡ଼ିକର ସମ୍ପୂର୍ଣ୍ଣ ଫାଇଦା ଉଠାଇବାକୁ ସେ MSME କ୍ଷେତ୍ରକୁ ଆହ୍ୱାନ ଦେଇଛନ୍ତି।
- ୧୦୦ ଜିଗାୱାଟ୍ ପରମାଣୁ ଶକ୍ତି: ଉର୍ଜା ସୁରକ୍ଷା ପାଇଁ ପରମାଣୁ ଶକ୍ତି ଉପରେ ଗୁରୁତ୍ୱ ଦିଆଯାଉଛି। ସଂସଦରେ ‘ଶାନ୍ତି ଆକ୍ଟ’ ପାସ୍ ହେବା ପରେ ୨୦୪୭ ସୁଦ୍ଧା ୧୦୦ ଜିଗା ୱାଟ୍ (GW) ପରମାଣୁ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି। ଏହା ସହ ଆଗାମୀ ଦଶନ୍ଧି ମଧ୍ୟରେ ୫ଟି ନୂଆ ନ୍ୟୁକ୍ଲିୟର ରିଆକ୍ଟର କାର୍ଯ୍ୟକ୍ଷମ କରାଯିବ।




