ୱାଶିଂଟନ୍: ଆମେରିକାର ମିସିଗାନ ଜିଲ୍ଲାରେ ଏକ ଭୟାବହ ଗୁଳିକାଣ୍ଡ ଘଟିଯାଇଛି। ମିସିଗାନ ଷ୍ଟେଟ୍ ପୁଲିସର ସୂଚନା ଅନୁଯାୟୀ, ଉତ୍ତର ମିସିଗାନର ମିସାଉକି କାଉଣ୍ଟିରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଆଖିବୁଜା ଗୁଳିମାଡ଼ କରି ୫ ଜଣଙ୍କ ଜୀବନ ନେବା ପରେ ନିଜେ ମଧ୍ୟ ମୃତ ଅବସ୍ଥାରେ ମିଳିଛନ୍ତି। ଏହି ଘଟଣାରେ ଆହତ ଅନ୍ୟ ଜଣେ ପୀଡ଼ିତଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


ସୂଚନା ଅନୁସାରେ, ପୂର୍ବାହ୍ନ ପ୍ରାୟ ୧୧ଟା ୪୦ ସମୟରେ ମିସାଉକି କାଉଣ୍ଟିର ଏକ ଘରେ ଗୁଳିକାଣ୍ଡ ଘଟିଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ଅଧିକାରୀମାନେ ପ୍ରଥମ ଘରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରିବା ସହ ଜଣଙ୍କୁ ଆହତ ଅବସ୍ଥାରେ ପାଇଥିଲେ। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ୩୯ ବର୍ଷୀୟ ଚାଡ୍ ହିକମ୍ୟାନ୍ ଭାବରେ ଚିହ୍ନଟ କରାଯାଇଥିଲା, ଯିଏ ପୁଲିସ ପହଞ୍ଚିବା ପୂର୍ବରୁ ଫେରାର ହୋଇଯାଇଥିଲେ। ତଲାସୀ ସମୟରେ ତଦନ୍ତକାରୀମାନେ ଦ୍ୱିତୀୟ ଏକ ଘରେ ଅନ୍ୟ ଜଣଙ୍କ ମୃତଦେହ ପାଇଥିଲେ।ପରବର୍ତ୍ତୀ ସମୟରେ ହ୍ୱିଟଲକ୍ ହ୍ରଦ ନିକଟସ୍ଥ ଜଙ୍ଗଲିଆ ଅଞ୍ଚଳରୁ ହିକମ୍ୟାନ୍‌ଙ୍କ ଗାଡ଼ି ସହ ସେ ଏବଂ ଅନ୍ୟ ଜଣେ ବ୍ୟକ୍ତି ମୃତ ଅବସ୍ଥାରେ ମିଳିଥିଲେ।


ଆମେରିକାରେ ବୃଦ୍ଧି ପାଉଥିବା ବନ୍ଧୁକ ସଂସ୍କୃତି ଯୋଗୁଁ ଅପରାଧ ଏବଂ ଏସବୁ ଗୁଳିକାଣ୍ଡ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ଅପରପକ୍ଷରେ, ବାସ୍ତବ ସ୍ଥିତି ସରକାରୀ ରିପୋର୍ଟର ସମ୍ପୂର୍ଣ୍ଣ ଓଲଟା ଚିତ୍ର ଦେଖାଉଛି।

ପ୍ରକାଶିତ ଏଫବିଆଇ (FBI) ଅପରାଧ ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ ଆମେରିକାରେ ହତ୍ୟା ହାର ୭୫ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା। ରିପୋର୍ଟରେ ଦର୍ଶାଯାଇଥିଲା ଯେ ମୋଟ ହିଂସାତ୍ମକ ଅପରାଧ ୯.୩ ପ୍ରତିଶତ ହ୍ରାସ ପାଇଛି।

ତେବେ ବିଶେଷଜ୍ଞଙ୍କ ଅନୁସାରେ, ଏହି ଅପରାଧ ହ୍ରାସ ପାଇଁ କୌଣସି ଜଣେ ନେତା, ଦଳ କିମ୍ବା ନୀତିକୁ ଶ୍ରେୟ ଦିଆଯାଇପାରିବ ନାହିଁ। କାଗଜପତ୍ରରେ ଅପରାଧ କମୁଥିବା ଦର୍ଶାଯାଉଥିଲେ ବି ପ୍ରକୃତ ପକ୍ଷେ ସାଧାରଣ ନାଗରିକଙ୍କ ଉପରେ ଏଭଳି ସଙ୍ଗୀନ ଗୁଳିକାଣ୍ଡ ଘଟଣାଗୁଡ଼ିକ କ୍ରମାଗତ ଭାବେ ବଢ଼ିଚାଲିଛି।