ରେଙ୍ଗାଳି: ଲଗାଣ ବର୍ଷା ଯୋଗୁଁ ରେଙ୍ଗାଳି ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବଢ଼ିବାରୁ ଡ୍ୟାମ୍‌ର ଆଉ ଏକ ଗେଟ୍‌ ଖୋଲାଯାଇଛି। ଆଜି ଅପରାହ୍ନ ୨ଟା ୩୦ରେ ୯ ନମ୍ବର ଗେଟ୍‌ ଖୋଲାଯିବା ପରେ ବର୍ତ୍ତମାନ ଡ୍ୟାମ୍‌ର ମୋଟ ୩ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି।

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍‌ରେ ଥିବା ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ରେଙ୍ଗାଳି ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ହେଉଥିବାରୁ ବ୍ରାହ୍ମଣୀ ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି। ଫଳରେ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳର ପରିମାଣ ମଧ୍ୟ ବୃଦ୍ଧି ପାଇଛି।

ଆକଳନ ଅନୁଯାୟୀ, ପ୍ରତି ସେକେଣ୍ଡରେ ପ୍ରାୟ ୪,୬୧୯ ଘନମିଟର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ପୂର୍ବରୁ ଡ୍ୟାମ୍‌ର ୮ ଓ ୧୦ ନମ୍ବର ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଥିଲା। ତୃତୀୟ ଗେଟ୍‌ ଖୋଲାଯିବା ପରେ ବର୍ତ୍ତମାନ ତିନୋଟି ଗେଟ୍‌ ଦେଇ ପ୍ରତି ସେକେଣ୍ଡରେ ପ୍ରାୟ ୫,୨୦୦ ଘନମିଟର ଜଳ ନିଷ୍କାସିତ ହେଉଛି।

ତଳମୁଣ୍ଡରେ ବନ୍ୟା ଆଶଙ୍କା

ଜଳ ନିଷ୍କାସନ ବଢ଼ିଥିବାରୁ ରେଙ୍ଗାଳି ଡ୍ୟାମ୍‌ର ତଳମୁଣ୍ଡରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଡ୍ୟାମ୍‌ କର୍ତ୍ତୃପକ୍ଷ ତଳମୁଣ୍ଡରେ ଥିବା ଗ୍ରାମବାସୀଙ୍କ ସହ ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିଛନ୍ତି।

ପରିସ୍ଥିତି ଉପରେ ଡ୍ୟାମ୍‌ କର୍ତ୍ତୃପକ୍ଷ ନଜର ରଖିଥିବା ବେଳେ ତଳମୁଣ୍ଡର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।