ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ରେଳ ଡାକସେବାର ‘ବିଜି’ ଡିଭିଜନ କାର୍ଯ୍ୟାଳୟକୁ କଟକକୁ ଉଠାଇ ନେବା ପାଇଁ ହୋଇଥିବା ଯୋଜନାକୁ ନେଇ ଦକ୍ଷିଣ ଓଡ଼ିଶାରେ ତୀବ୍ର ପ୍ରତିବାଦର ସ୍ୱର ଉଠିଛି। କୌଣସି ଆନୁଷ୍ଠାନିକ ସରକାରୀ ଚିଠିପତ୍ର ନଦେଇ ଅତ୍ୟନ୍ତ ତରବରିଆ ଭାବେ ଏହି ଡିଭିଜନକୁ କଟକର ‘ଏନ୍’ ଡିଭିଜନ ସହ ମିଶ୍ରଣ କରାଯିବାକୁ ଭିତରିଆ ବଡ଼ ଚକ୍ରାନ୍ତ ଚାଲିଥିବା ଅଭିଯୋଗ ହୋଇଛି।

ପ୍ରତିଦିନ ୩୦ ଲକ୍ଷରୁ ଅଧିକ ବ୍ୟବସାୟ:

ବ୍ରହ୍ମପୁରସ୍ଥିତ ଏହି ଡିଭିଜନ ପ୍ରତିଦିନ ୩୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ ଦେଉଥିବା ବେଳେ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାକୁ ସେବା ଯୋଗାଇ ଆସୁଛି। ଏହି କାର୍ଯ୍ୟାଳୟରେ ୨୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ଏହାସହିତ ଏହି ଡିଭିଜନ ଅଧୀନରେ ଥିବା ରାୟଗଡ଼ା ଓ ଜୟପୁର କାର୍ଯ୍ୟାଳୟକୁ ଝାରସୁଗୁଡ଼ାକୁ ଉଠାଇ ନେବାକୁ ମଧ୍ୟ ମସୁଧା ଚାଲିଥିବା କୁହାଯାଉଛି।

ଦକ୍ଷିଣ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ:

ଲାଭଜନକ ସ୍ଥିତିରେ ଥାଇ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ ନେଇ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇଛି। ଦକ୍ଷିଣ ଓଡ଼ିଶା ପ୍ରତି ପ୍ରଶାସନିକ ସ୍ତରରେ କାହିଁକି ଏଭଳି ବୈମାତୃକ ମନୋଭାବ ଦେଖାଯାଉଛି ବୋଲି ବୁଦ୍ଧିଜୀବୀ ଓ ସଂଗଠନଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି।

ଯଦି ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।