ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଧୀରେ ଧୀରେ ଗମ୍ଭୀର ରୂପ ନେଉଛି। ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀର ପ୍ରଥମ ବନ୍ୟା ସାଙ୍ଗକୁ ଜଳକା, ବୁଢ଼ାବଳଙ୍ଗ ଓ କାଂଶବାଂଶ ନଦୀର ବନ୍ୟା ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇଛି। ତେବେ ଜଳକା ଓ ବୁଢ଼ାବଳଙ୍ଗର ଜଳସ୍ତର ହ୍ରାସ ପାଉଥିବା ବେଳେ ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ୁଛି।
ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର ଓ ସତର୍କ ସଙ୍କେତ ୯.୪୫ ମିଟର ରହିଛି। ଅପରାହ୍ନରେ ଏଠାରେ ଜଳସ୍ତର ୯.୧୩ ମିଟର ଥିବା ବେଳେ ଧୀରେ ଧୀରେ ବୃଦ୍ଧି ପାଇ ସନ୍ଧ୍ୟା ୬ଟା ସୁଦ୍ଧା ୯.୨୫ ମିଟରରେ ପହଞ୍ଚିଛି।
ସେହିପରି ଜାମଶୋଳାଘାଟରେ ବିପଦ ସଙ୍କେତ ୪୯.୧୬୦ ମିଟର ଓ ସତର୍କ ସଙ୍କେତ ୪୮.୩୨୦ ମିଟର ରହିଛି। ଅପରାହ୍ନରେ ନଦୀ ଜଳ ୪୯.୩୦୦ ମିଟରରେ ପ୍ରବାହିତ ହେଉଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ଏହା ବଢ଼ି ୪୯.୫୨୦ ମିଟରରେ ପହଞ୍ଚିଛି। ଅନ୍ୟପଟେ ଜଳକା ନଦୀର ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ସନ୍ଧ୍ୟା ସୁଦ୍ଧା ଜଳସ୍ତର ୬.୭୨ ମିଟର ରହିଥିଲା। ତେବେ ଏଠାରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି।
୧୦ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର
ଗତକାଲି ଜିଲ୍ଲାର ୧୨ଟି ବ୍ଲକର ୯୭ଟି ପଞ୍ଚାୟତ ଅଧୀନ ୪୫୩ଟି ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଥିଲା। ଆଜି ଆଉ ୯ଟି ପଞ୍ଚାୟତ ବନ୍ୟା ପ୍ରଭାବିତ ହେବାରୁ ମୋଟ ୧୦୬ଟି ପଞ୍ଚାୟତର ୫୨୪ଟି ଗ୍ରାମ ପ୍ରଭାବିତ ହୋଇଛି। ତେବେ ବିଭିନ୍ନ ଅଞ୍ଚଳରୁ ବନ୍ୟାଜଳ ଧୀରେ ଧୀରେ ଖସୁଥିବା ମଧ୍ୟ ଜଣାପଡ଼ିଛି।
ଗତକାଲି ଓ ଆଜିକୁ ମିଶାଇ ଜିଲ୍ଲାରେ ମୋଟ ୨ ଲକ୍ଷ ୧୮ ହଜାର ୫୭୭ ଜଣ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସେହିପରି ଆଜି ୧୦ ହଜାର ୨୯୮ ଜଣଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।
ବନ୍ୟା ମୁକାବିଲା ପାଇଁ ଜିଲ୍ଲାରେ ୨ଟି ଏନ୍ଡିଆର୍ଏଫ୍ ଓ ଗୋଟିଏ ଓଡ୍ରାଫ୍ ଟିମ୍ ନିୟୋଜିତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠିତ ସ୍ୱତନ୍ତ୍ର ଟିମ୍ଗୁଡ଼ିକ ମଧ୍ୟ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଉପରେ ନଜର ରଖିଛନ୍ତି।




