ଭୁବନେଶ୍ୱର: ଗାଡ଼ି ଭଡ଼ା ବକେୟା ବିଲ୍‌ ପୈଠ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ସଦର ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ (ସିଡିପିଓ) ମଧୁସ୍ମିତା ମହାନ୍ତି। ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ରଙ୍ଗେହାତ ଧରିଥିବା ଜଣାପଡ଼ିଛି।

ମଧୁସ୍ମିତା ମହାନ୍ତି ବର୍ତ୍ତମାନ ବାଲେଶ୍ୱର ସଦର ସହ ବାଲେଶ୍ୱର ପୌରାଞ୍ଚଳର ସିଡିପିଓ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି। ଅଭିଯୋଗକାରୀଙ୍କ ଗାଡ଼ି ୨୦୨୪ ମସିହାରୁ ବାଲେଶ୍ୱର ପୌରାଞ୍ଚଳ ଅଧୀନ ସିଡିପିଓ କାର୍ଯ୍ୟାଳୟରେ ନିୟୋଜିତ ହୋଇଥିଲା।

୨୬ ହଜାର ଟଙ୍କାର ବିଲ୍‌ ପାଇଁ ମାଗିଥିଲେ ଲାଞ୍ଚ

ଗାଡ଼ି ମାଲିକ ଜୁନ୍‌ ଓ ଜୁଲାଇ ୨୦୨୬ର ଭଡ଼ା ବାବଦକୁ ମୋଟ ୨୬ ହଜାର ଟଙ୍କା ବକେୟା ପୈଠ କରିବା ପାଇଁ ଆବେଦନ କରିଥିଲେ। ତେବେ ବକେୟା ବିଲ୍‌ ପାସ୍‌ କରିବାରେ ସିଡିପିଓ ଟାଳଟୁଳ କରିବା ସହ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା।

ବାଧ୍ୟ ହୋଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ଅନୁଯାୟୀ ଆଜି ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ଟିମ୍‌ ମଧୁସ୍ମିତାଙ୍କୁ ଧରିଥିଲା।

ଏହାପରେ ସିଡିପିଓଙ୍କ ସରକାରୀ କାର୍ଯ୍ୟାଳୟ ଓ ଘରେ ଏକକାଳୀନ ଚଢ଼ାଉ କରାଯାଇଛି। ତାଙ୍କର ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।