ଯାଜପୁର: ଆସୁଛି ସ୍ନେହ, ସମ୍ପର୍କ ଓ ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ ରକ୍ଷାବନ୍ଧନ। ଏହି ଦିନ ପ୍ରତ୍ୟେକ ଭଉଣୀ ନିଜ ଭାଇର ଦୀର୍ଘାୟୁ ଓ ମଙ୍ଗଳ କାମନା କରି ହାତରେ ରାକ୍ଷୀ ବାନ୍ଧିଥାଏ। କିନ୍ତୁ ଦେଶ ମାତୃକାର ସୁରକ୍ଷା ପାଇଁ ପରିବାରଠାରୁ ଦୂରରେ ସୀମାରେ ନିୟୋଜିତ ଥିବା ବୀର ଯବାନମାନଙ୍କ ପାଇଁ ଏଥର ନିଆରା ପ୍ରୟାସ କରିଛନ୍ତି ଯାଜପୁରର ଛାତ୍ରୀମାନେ।
ଯାଜପୁର ନରସିଂହ ଚୌଧୁରୀ (NC) ସ୍ୱୟଂଶାସିତ ମହାବିଦ୍ୟାଳୟର ବୈତରଣୀ ଛାତ୍ରୀନିବାସର ଅନ୍ତେବାସୀମାନେ ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ସେମାନେ ବଜାରରୁ ମନପସନ୍ଦର ଆକର୍ଷଣୀୟ ରାକ୍ଷୀ କିଣି ଡାକ ଯୋଗେ ସୀମାରେ ମୁତୟନ ଭାରତୀୟ ଯବାନଙ୍କ ନିକଟକୁ ପଠାଇଛନ୍ତି।
ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧିବାର ସୁଯୋଗ ସମସ୍ତଙ୍କୁ ମିଳିନପାରେ, ହେଲେ ଦେଶକୁ ସୁରକ୍ଷିତ ରଖୁଥିବା ଯବାନଙ୍କୁ ନିଜର ବଡ଼ ଭାଇ ଭାବେ ସମ୍ମାନ ଜଣାଇଛନ୍ତି ଏହି ଛାତ୍ରୀମାନେ। ରାକ୍ଷୀ ସହ ସେମାନେ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ପଠାଇଛନ୍ତି। ଛାତ୍ରୀଙ୍କ କହିବା କଥା— “ଯେଉଁମାନେ ଆମ ସୁରକ୍ଷା ପାଇଁ ସୀମାରେ ଦିନରାତି ଜଗିଛନ୍ତି, ସେମାନେ ବି ଆମର ଆପଣାର ଭାଇ।”
ଛାତ୍ରୀମାନଙ୍କର ଏହି କାର୍ଯ୍ୟ କେବଳ ରକ୍ଷାବନ୍ଧନର ପର୍ବକୁ ସୀମିତ ରଖିନାହିଁ, ବରଂ ଦେଶପ୍ରେମ, ସମ୍ମାନ ଓ ଭାଇଚାରାର ଭାବନାକୁ ଆହୁରି ସୁଦୃଢ଼ କରିଛି। ଡାକ ଯୋଗେ ପଠାଯାଇଥିବା ଏହି ରାକ୍ଷୀରେ ରହିଛି ସ୍ନେହ, ଆଦର ଏବଂ ଦେଶର ବୀର ସୈନିକଙ୍କ ପ୍ରତି ଅଶେଷ କୃତଜ୍ଞତା।




