ଇସଲାମାବାଦ: ପାକିସ୍ତାନର ଡିଜିଟାଲ ଆବହାୱା ଓ ଟେକ୍ନୋଲୋଜି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ରାଜଧାନୀ ଇସଲାମାବାଦଠାରେ ଗୁଗଲ (Google) ନିଜର ପ୍ରଥମ ସ୍ଥାନୀୟ ଅଫିସ ଖୋଲିଛି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏହି ଅଫିସ୍କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଦେଶର ଡିଜିଟାଲ ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ଆଇଟି କ୍ଷେତ୍ରକୁ ଆଗକୁ ନେବା ଦିଗରେ ଏହାକୁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି।
ଗୁଗଲର ଗ୍ଲୋବାଲ ଆଫେୟାର୍ସ ଉପାଧ୍ୟକ୍ଷ ୱିଲସନ୍ ହ୍ୱାଇଟ୍ (Wilson White) ଙ୍କ ନେତୃତ୍ୱରେ ଆସିଥିବା ୯ ଜଣିଆ ପ୍ରତିନିଧିମଣ୍ଡଳ ଇସଲାମାବାଦସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଶେହବାଜ ଶରିଫଙ୍କ ସହ ବିଶେଷ ଆଲୋଚନା କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଏବଂ ଗୁଗଲ ପ୍ରତିନିଧିମାନେ ମିଳିତ ଭାବେ ଅଫିସ୍ର ଫଳକ ଉନ୍ମୋଚନ କରିଥିଲେ।
ଶେହବାଜ ଶରିଫ କହିଛନ୍ତି ଯେ, ପାକିସ୍ତାନର “ଡିଜିଟାଲ ପରିବର୍ତ୍ତନ” ଯାତ୍ରାରେ ଗୁଗଲର ସ୍ଥାନୀୟ ଅଫିସ୍ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନ୍। ଏହା ଦେଶର ଯୁବପିଢ଼ିଙ୍କୁ ଆଧୁନିକ ଟେକ୍ନୋଲୋଜି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଏବଂ ନୂତନ ନିଯୁକ୍ତି ସୁଯୋଗ ସହ ଯୋଡ଼ିବାରେ ବିଶେଷ ସହାୟକ ହେବ।
ଗୁଗଲ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନର ଡିଜିଟାଲ ଭବିଷ୍ୟତ ଓ ସେଠାକାର ପ୍ରତିଭା ଉପରେ କମ୍ପାନୀର ପୂର୍ଣ୍ଣ ବିଶ୍ୱାସ ରହିଛି। ଗୁଗଲର ‘କ୍ୟାରିୟର ସାର୍ଟିଫିକେଟ୍’ କାର୍ଯ୍ୟକ୍ରମ ଜରିଆରେ ପୂର୍ବରୁ ୧୦ ଲକ୍ଷରୁ ଅଧିକ ପାକିସ୍ତାନୀଙ୍କୁ ଡିଜିଟାଲ କୌଶଳ ଶିକ୍ଷା ଦିଆଯାଇସାରିଛି।
ପାକିସ୍ତାନ ସରକାର ଦେଶକୁ ଏକ ବଡ଼ IT ଏକ୍ସପୋର୍ଟ ହବ୍ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି।ଗୁଗଲର ସ୍ଥାନୀୟ ଉପସ୍ଥିତି ଦେଶର ଡିଜିଟାଲ ଅର୍ଥନୀତି, ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଏବଂ IT ରପ୍ତାନିକୁ ଏକ ନୂଆ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।




