ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅନଲାଇନ୍ ଆପ୍-ଭିତ୍ତିକ ଗାଡ଼ି ଚାଳକଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ୭ ଦଫା ଦାବି ନେଇ ଓଲା (Ola), ଉବେର (Uber), ରାପିଡୋ (Rapido) ଏବଂ ଓଡ଼ିଶା ଯାତ୍ରୀ (Odisha Yatri) ଭଳି ସେବାର ସହ ଜଡ଼ିତ ଶହ ଶହ କ୍ୟାବ୍, ଅଟୋ-ରିକ୍ସା ଓ ବାଇକ୍ ଚାଳକ ମହାତ୍ମା ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିଜର ଆନ୍ଦୋଳନକୁ ଆହୁରି ଜୋରଦାର କରିଛନ୍ତି। ଗାଡ଼ି ବୁକିଂ ନହେବା ଯୋଗୁଁ ସହରରେ ସାଧାରଣ ଯାତ୍ରୀ, ବିମାନବନ୍ଦର ଓ ରେଳଷ୍ଟେସନକୁ ଯାଉଥିବା ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ମହାତ୍ମା ଗାନ୍ଧୀ ମାର୍ଗରେ ଶହ ଶହ ଅଟୋ ଓ କ୍ୟାବ୍ ରଖି ଚାଳକମାନେ ନାରାବାଜି କରିବା ସହ ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ, ଯାହାଫଳରେ ଯାତାୟାତ ପ୍ରଭାବିତ ହୋଇଛି। ଚାଳକ ସଂଘର କହିବା ଅନୁଯାୟୀ, ଏହି ପ୍ରତିବାଦ ସରକାର କିମ୍ବା ଯାତ୍ରୀଙ୍କ ବିରୋଧରେ ନୁହେଁ, ବରଂ ଅନ୍‌ଲାଇନ୍ ଆପ୍ କମ୍ପାନୀଗୁଡ଼ିକର ମନମୁଖୀ ନୀତି ଏବଂ ରୋଜଗାର ହ୍ରାସ ବିରୋଧରେ।

ଚାଳକମାନଙ୍କ ମୁଖ୍ୟ ଦାବି:

  • ଭାଡ଼ା ନିର୍ଦ୍ଧାରଣ: ସରକାର ଓ ଆପ୍ କମ୍ପାନୀଗୁଡ଼ିକ ମିଳିତ ଭାବେ ସର୍ବନିମ୍ନ ଓ ସର୍ବାଧିକ ଭାଡ଼ା ନିର୍ଦ୍ଧାରଣ କରନ୍ତୁ। ପୂର୍ବରୁ କିଲୋମିଟର ପିଛା ୧୫ ଟଙ୍କା ମିଳୁଥିବା ବେଳେ ଏବେ ତାହା କମି ୭-୮ ଟଙ୍କାରେ ପହଞ୍ଚିଛି।
  • ୱେଟିଂ ଓ କ୍ୟାନ୍ସଲେସନ୍ ଚାର୍ଜ: ଯାତ୍ରୀଙ୍କୁ ଅପେକ୍ଷା କରିବା ସମୟ ଏବଂ ଗ୍ରାହକ ବୁକିଂ କ୍ୟାନ୍ସଲ୍ କଲେ ଚାଳକଙ୍କୁ ଉଚିତ୍ କ୍ଷତିପୂରଣ ମିଳୁ।
  • ନୂଆ ଗାଡ଼ି ଯୋଡ଼ିବା ଉପରେ ରୋକ୍: କୌଣସି ନିୟମାବଳୀ ବିନା ଆପ୍-ଭିତ୍ତିକ କମ୍ପାନୀଗୁଡ଼ିକ ନୂଆ ଗାଡ଼ି ଯୋଡ଼ିବା ପ୍ରକ୍ରିୟା ବନ୍ଦ କରନ୍ତୁ।
  • ଆକାଉଣ୍ଟ ବ୍ଲକ୍: ବିନା ତଦନ୍ତରେ ଚାଳକଙ୍କ ଆକାଉଣ୍ଟ ବ୍ଲକ୍ କରିବା ପ୍ରଥା ସମ୍ପୂର୍ଣ୍ଣ ବନ୍ଦ ହେଉ।

ଅନଲାଇନ୍ ଚାଳକ ସଂଘର ନେତାମାନେ ସ୍ପଷ୍ଟ କରିଛନ୍ତି ଯେ, ୩ ଦିନ ହେଲାଣି ଆନ୍ଦୋଳନ ଚାଲିଥିଲେ ବି ସରକାର କିମ୍ବା କମ୍ପାନୀ କୃପାଦୃଷ୍ଟି ଦେଉନାହାନ୍ତି। ଯଦି ଶୀଘ୍ର ଦାବି ପୂରଣ ନହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର ଓ ବ୍ୟାପକ କରାଯିବ।