ଭବାନୀପାଟଣା:ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ଅକାଳ ବିୟୋଗ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ପୈତୃକ ଗ୍ରାମ ବିଜେପୁରର ଦାନରଗୁଡ଼ାଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା।
ଗୁରୁତର ଛାତିରେ ଯନ୍ତ୍ରଣା ହେତୁ ସେ ଭୁବନେଶ୍ୱରର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।ନିକଟରେ ସେଠାରୁ ଡିସଚାର୍ଜ ହୋଇ ଗାଁକୁ ଫେରିବା ପରେ ହଠାତ୍ ତାଙ୍କର ପରଲୋକ ଘଟିଛି।
୨୦୦୯ ମସିହାରେ ନୂତନ ଭାବେ ଗଠିତ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିଲେ। ୨୦୦୯ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ସେ ଏହି ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିବା ସହ ଉପାନ୍ତ ଓ ଜନଜାତି ଅଧ୍ୟୁଷିତ ଲାଞ୍ଜିଗଡ଼ ଏବଂ ଥୁଆମୂଳ ରାମପୁର ଅଞ୍ଚଳର ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ପରବର୍ତ୍ତୀ ସମୟରେ ସେ କଳାହାଣ୍ଡି ଜିଲ୍ଲା ବିଶେଷ ଅନୁସୂଚିତ ଜାତି ଓ ଜନଜାତି ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ।ସେ ଜନଜାତି, ଦଳିତ ଏବଂ ଅବହେଳିତ ବର୍ଗର ଶିକ୍ଷା ଓ ଆର୍ଥିକ ଉନ୍ନତି ପାଇଁ ସଦାସର୍ବଦା ନିଜକୁ ସମର୍ପିତ କରିଥିଲେ।
ତାଙ୍କର ଆକସ୍ମିକ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କଳାହାଣ୍ଡି ଜିଲ୍ଲା ଓ ଲାଞ୍ଜିଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସମାଜସେବୀ ଏବଂ ସ୍ଥାନୀୟ ଜନସାଧାରଣ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।ଲାଞ୍ଜିଗଡ଼ର ନିଜସ୍ୱ ରାଜନୈତିକ ପରିଚୟ ସୃଷ୍ଟି କରିବାରେ ଏବଂ ଆଦିବାସୀ ସମ୍ପ୍ରଦାୟର ସେବାରେ ତାଙ୍କର ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇରହିବ।




