ଭୁବନେଶ୍ୱର: ରାଜସ୍ୱ ସମ୍ପର୍କିତ ବିବାଦ ଓ ବିଭିନ୍ନ ସେବା ପାଇଁ ଜନସାଧାରଣଙ୍କୁ ଆଉ ବାରମ୍ବାର ସରକାରୀ ଅଫିସ୍ ଦୌଡ଼ିବାକୁ ପଡ଼ିବନି। ଏବେ ଘରେ ବସି ହାତ ପାଆନ୍ତାରେ ମିଳିବ ରାଜସ୍ୱ ବିଭାଗର ବିଭିନ୍ନ ସେବା। ଏହି ପ୍ରକ୍ରିୟାକୁ ଅଧିକ ସହଜ ଓ ଟ୍ରାନ୍ସପାରେଣ୍ଟ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ‘ଆମସାଥି ଚାଟ୍ବଟ୍ ଆପ୍’ ର ଶୁଭାରମ୍ଭ କରାଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହାର ଆନୁଷ୍ଠାନିକ ଶୁଭାରମ୍ଭ କରିଛନ୍ତି।
୧୬ଟି ସେବା ଉପଲବ୍ଧ, ଯୋଡ଼ିହେବ ଆଉ ୨ଟି ସେବା:
ପ୍ରଥମ ପର୍ଯ୍ୟାୟରେ ଏହି ଚାଟ୍ବଟ୍ ଜରିଆରେ ରାଜସ୍ୱ ବିଭାଗର ୧୬ଟି ପ୍ରମୁଖ ସେବା ଯୋଗାଇ ଦିଆଯାଉଛି। ପୂର୍ବରୁ ୧୧ଟି ସେବା ଦେବାର ବ୍ୟବସ୍ଥା ଥିବା ବେଳେ ଏବେ ଏହାର ପରିସରକୁ ବୃଦ୍ଧି କରାଯାଇଛି। ଆଗାମୀ ଦିନରେ ଆଉ ଦୁଇଟି ନୂଆ ସେବା ଏଥିରେ ସାମିଲ କରାଯିବ।
କେଉଁ ସେବାସବୁ ମିଳିବ?
- ପ୍ରମାଣପତ୍ର: ଜାତି, ଆୟ, ବାସସ୍ଥାନ ପ୍ରମାଣପତ୍ର।
- ଜମିଜମା ସେବା: ମ୍ୟୁଟେସନ୍ (ଜମି ଖାରଜ), କିସମ ପରିବର୍ତ୍ତନ, ଭୂଲେଖରେ ପଟ୍ଟା ସମ୍ପର୍କିତ ତଥ୍ୟ।
- ପଞ୍ଜିକରଣ ସେବା: ବିବାହ ପଞ୍ଜିକରଣ ଓ ସୋସାଇଟି ରେଜିଷ୍ଟ୍ରେସନ୍।
- ଆବେଦନ ସ୍ଥିତି (Application Status): ନିଜ ଆବେଦନ କେଉଁ ସ୍ତରରେ ଅଛି, ସେ ସମ୍ପର୍କରେ ଚାଟ୍ବଟ୍ ଜରିଆରେ ରିଅଲ-ଟାଇମ୍ ଅପଡେଟ୍ ମିଳିବ।
ହ୍ୱାଟ୍ସଆପ୍ ନମ୍ବର ଓ ଅଭିଯୋଗ ବ୍ୟବସ୍ଥା:
ରାଜ୍ୟରେ ପ୍ରାୟ ୧ କୋଟି ୬୫ ଲକ୍ଷ ଲୋକ ହ୍ୱାଟ୍ସଆପ୍ (WhatsApp) ବ୍ୟବହାର କରୁଥିବାରୁ ଏହି ବ୍ୟବସ୍ଥା ଅତ୍ୟନ୍ତ ଫଳପ୍ରଦ ହେବ। କଲମ୍ ଟୁ କରେକ୍ସନ୍ ସମ୍ପର୍କିତ ପ୍ରାୟ ୧ କୋଟି ମାମଲା ଏହି ବ୍ୟବସ୍ଥାରେ ସଫଳତାର ସହ ପ୍ରକ୍ରିୟାକରଣ ହୋଇସାରିଛି। ଯଦି କୌଣସି ଅଭିଯୋଗ ଥାଏ, ତେବେ ନାଗରିକମାନେ ୯୪୩୭୨୯୨୦୦୦ (9437292000) ନମ୍ବରରେ ଯୋଗାଯୋଗ କରିପାରିବେ।
ଏହି ନୂତନ ବ୍ୟବସ୍ଥା ଦ୍ୱାରା ସାଧାରଣ ଲୋକଙ୍କ ସମୟ ଓ ଅର୍ଥ ବଞ୍ଚିବା ସହ ରାଜସ୍ୱ ପ୍ରଶାସନରେ ସ୍ୱଚ୍ଛତା ଆସିବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।




