ଭୁବନେଶ୍ୱର: ଓଡ଼ିଶା ସହ ପୂର୍ବ ଓ ଦକ୍ଷିଣ ଭାରତରେ ରେଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (CCEA) ବୈଠକରେ ୯,୪୫୦ କୋଟି ଟଙ୍କାର ୪ଟି ଗୁରୁତ୍ୱପୂର୍ଣ୍ଣ ରେଳ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।
ଏହି ମୋଟ ୪୧୦ କିଲୋମିଟର ଲମ୍ବର ପ୍ରକଳ୍ପ ମଧ୍ୟରେ ଓଡ଼ିଶାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଲାଇନ୍ ରହିଛି:
- ଭଦ୍ରକ-ହରିଦାସପୁର: ୭୫ କିଲୋମିଟର ଦୀର୍ଘ ୪ର୍ଥ ରେଳ ଲାଇନ୍।
- କଟକ-ପାରାଦୀପ (ବଡ଼ବାନ୍ଧ): ୭୨ କିଲୋମିଟର ଦୀର୍ଘ ୩ୟ ଓ ୪ର୍ଥ ରେଳ ଲାଇନ୍।
ଏହା ବ୍ୟତୀତ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଯୋଡ଼ୁଥିବା ୧୭୩ କିଲୋମିଟରର ଖଡ଼ଗପୁର-ଭଦ୍ରକ (ରାଣୀତାଲ) ୪ର୍ଥ ଲାଇନ୍ ଏବଂ ଆନ୍ଧ୍ରପ୍ରଦେଶ-ତାମିଲନାଡ଼ୁର ଗୁମ୍ମିଡ଼ିପୁଣ୍ଡି-ଗୁଡୁର ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଛି।
ଏହି ସମସ୍ତ ପ୍ରକଳ୍ପ ‘PM ଗତିଶକ୍ତି ରାଷ୍ଟ୍ରୀୟ ମାଷ୍ଟର ପ୍ଲାନ୍’ ଅଧୀନରେ ନିର୍ମାଣ ହେବ, ଯାହା ଦ୍ୱାରା ୪ଟି ରାଜ୍ୟର ୮ଟି ଜିଲ୍ଲା ଏବଂ ପ୍ରାୟ ୬,୪୪୮ଟି ଗାଁର ୬୦ ଲକ୍ଷ ଲୋକ ଲାଭବାନ ହେବେ। ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳ ଯଥା: ଭିତରକନିକା, କୁଲଡ଼ିହା, ଚାନ୍ଦିପୁର, ମା’ ଭଦ୍ରକାଳୀ, ଧବଳେଶ୍ୱର, ସାରଳା ପୀଠ ଏବଂ ଲଳିତଗିରିକୁ ଗମନାଗମନ ସହଜ ହେବ।
କୋଇଲା, ଲୁହାପଥର, ସିମେଣ୍ଟ ଓ ଇସ୍ପାତ ଭଳି ସାମଗ୍ରୀ ପରିବହନରେ ଏହା ବଡ଼ ପରିବର୍ତ୍ତନ ଆଣିବ ଏବଂ ବାର୍ଷିକ ୭୬ ନିୟୁତ ଟନ୍ (MTPA) ଅତିରିକ୍ତ ମାଲପରିବହନ ସମ୍ଭବ ହେବ। ଏହାସହ ୧୩ କୋଟି ଲିଟର ତେଲ ବଞ୍ଚିବା ସହ ୬୫ କୋଟି କିଲୋଗ୍ରାମ କାର୍ବନ ନିର୍ଗମନ ହ୍ରାସ ପାଇବ।




