ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ (PTI) ମୁଖ୍ୟ ଇମ୍ରାନ୍ ଖାନ୍‌ଙ୍କୁ ବେସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମ୍ କୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ପାକିସ୍ତାନ ସରକାର ରିଭ୍ୟୁ ପିଟିସନ୍ କିମ୍ବା ସଂଶୋଧନ ଆବେଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ଆଇନ ମନ୍ତ୍ରୀ ଆଜମ୍ ନଜୀର ତରାର ବୁଧବାର ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ସୁପ୍ରିମ୍ କୋର୍ଟଙ୍କ ଏହି ଆଦେଶ ଆଇନଗତ ସୀମା ବାହାରେ ରହିଛି।

ଆଇନ ମନ୍ତ୍ରୀ ତରାରଙ୍କ କହିବା ଅନୁଯାୟୀ, ଜେଲ୍ ନିୟମାବଳୀ ଅନୁସାରେ ଜଣେ ଦଣ୍ଡାଦେଶ ପ୍ରାପ୍ତ କଏଦୀଙ୍କୁ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇଦେବାର ପ୍ରାବଧାନ ନାହିଁ। ଇସଲାମାବାଦର ପ୍ରସିଦ୍ଧ ବେସରକାରୀ ହସ୍ପିଟାଲ ‘ଶିଫା ଇଣ୍ଟରନ୍ୟାସନାଲ୍‌’ରେ ଇମ୍ରାନ୍‌ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହାର ସଂଶୋଧନ ପାଇଁ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହେବେ। ଇମ୍ରାନ୍‌ଙ୍କୁ କୌଣସି ସରକାରୀ ତୃତୀୟ-ସ୍ତରୀୟ (Tertiary-care) ହସ୍ପିଟାଲରେ ଚିକିତ୍ସା କରାଯିବା ଉଚିତ୍ ଏବଂ ପ୍ରୟୋଜନ ପଡ଼ିଲେ ଅନ୍ୟ ମେଡିକାଲର ବିଶେଷଜ୍ଞଙ୍କୁ ମେଡିକାଲ ବୋର୍ଡରେ ସାମିଲ କରାଯାଇପାରିବ।

ତରାର କହିଛନ୍ତି ଯେ, କୌଣସି କଏଦୀଙ୍କୁ ଜେଲ୍ ଭିତରେ କିମ୍ବା ବାହାରେ ଚିକିତ୍ସା କରାଯିବ, ତାହା ନିର୍ଦ୍ଧାରଣ କରିବା ପାଇଁ ଆଇନ ଅନୁସାରେ ମେଡିକାଲ ବୋର୍ଡ ଗଠନ କରାଯାଏ। ଯଦି ପ୍ରତ୍ୟେକ କଏଦୀଙ୍କୁ ବେସରକାରୀ ହସ୍ପିଟାଲ ନିଆଯିବ, ତେବେ ପାକିସ୍ତାନର ଜେଲ୍‌ଗୁଡ଼ିକରେ ବିଭିନ୍ନ ରୋଗରେ ପୀଡ଼ିତ ହଜାର ହଜାର କଏଦୀ ଅଛନ୍ତି, ଯାହା ଏକ ନୂଆ ସମସ୍ୟା ସୃଷ୍ଟି କରିବ।

ମଙ୍ଗଳବାର ଦିନ ପାକିସ୍ତାନ ସୁପ୍ରିମ୍ କୋର୍ଟ ଇମ୍ରାନ୍ ଖାନ୍‌ଙ୍କ ବିଗୁଡ଼ୁଥିବା ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ହାଜତରେ ଥିବା ବ୍ୟକ୍ତିଙ୍କ ଜୀବନ, ସ୍ୱାସ୍ଥ୍ୟ, ସୁରକ୍ଷା ଓ ସମ୍ମାନ ରକ୍ଷା କରିବା ରାଷ୍ଟ୍ର ଏବଂ ସୁପ୍ରିମ୍ କୋର୍ଟଙ୍କ ସାମ୍ବିଧାନିକ ଦାୟିତ୍ୱ ବୋଲି ଅଦାଲତ କହିଥିଲେ।

ସେପଟେ, ପାକିସ୍ତାନର ଗଣମାଧ୍ୟମ ‘ଡନ୍'(Dawn)ନିଜ ସମ୍ପାଦକୀୟରେ ଲେଖିଛି ଯେ ଇମ୍ରାନ୍ ଗତ କିଛି ମାସ ହେବ ଅସୁସ୍ଥ ଥିଲେ ବି ଜେଲ୍ କର୍ତ୍ତୃପକ୍ଷ ଏହାକୁ ଏଡ଼ାଇ ଯାଉଥିଲେ, ଯାହା ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅତ୍ୟନ୍ତ ଅଶୋଭନୀୟ।