ଭୁବନେଶ୍ୱର: ସହରାଞ୍ଚଳରେ ଆର୍ଥିକ ଦୁର୍ବଳ ବର୍ଗ, ନିମ୍ନ ଆୟ ବର୍ଗ ଏବଂ ମଧ୍ୟମ ଆୟ ବର୍ଗଙ୍କ ଆବାସ ଆବଶ୍ୟକତା ପୂରଣ ପାଇଁ ନୂଆ ଆବାସ ମଡେଲ୍‌ ଉପରେ କାମ କରୁଛି ଓଡ଼ିଶା ସରକାର। ଏହା ସହିତ ସହରବାସୀଙ୍କ ପରିବର୍ତ୍ତିତ ଆବଶ୍ୟକତାକୁ ଦେଖି ସରକାରୀ ଭଡ଼ା ଘର ଯୋଗାଇବା ନେଇ ମଧ୍ୟ ବିଚାର କରାଯାଉଛି।

ବୁଧବାର ଗୃହ ଓ ନଗର ଉନ୍ନୟନ ବିଭାଗର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ବିଭାଗୀୟ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ଖାରବେଳ ଭବନରେ ଅନୁଷ୍ଠିତ ବୈଠକରେ ନଗର ଉନ୍ନୟନ, ଆବାସ ଏବଂ ସହରାଞ୍ଚଳ ଗମନାଗମନ ସମ୍ପର୍କିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା।

ପ୍ରିକାଷ୍ଟ ପ୍ରଯୁକ୍ତିରେ ଶସ୍ତା ଘର

ମହାରାଷ୍ଟ୍ର ଗସ୍ତ ସମୟରେ ଦେଖିଥିବା ପ୍ରିକାଷ୍ଟ ନିର୍ମାଣ ପ୍ରଯୁକ୍ତି ଏବଂ ‘ମିଶନ୍‌ ୧୦୦’ ସମ୍ପର୍କରେ ମନ୍ତ୍ରୀ ଆଲୋଚନା କରିଥିଲେ। ଏହି ମଡେଲ୍‌ରେ ୧୦୦ ଦିନରେ ୧୦୦ଟି ଘର ନିର୍ମାଣ କରାଯାଉଛି। ଓଡ଼ିଶାରେ ଏଭଳି ପ୍ରଯୁକ୍ତିର ପ୍ରୟୋଗ ସମ୍ଭାବନା ଅନୁଧ୍ୟାନ ପାଇଁ ଏକ ବୈଷୟିକ ଦଳ ମହାରାଷ୍ଟ୍ର ପଠାଯିବ।

ନିର୍ଦ୍ଧାରିତ ନିର୍ମାଣ ଓ ବୈଷୟିକ ମାନଦଣ୍ଡ ବଜାୟ ରଖି ଗୁଣାତ୍ମକ ଓ ସୁଲଭ ଆବାସ ନିର୍ମାଣକୁ ତ୍ୱରାନ୍ୱିତ କରିବା ସରକାରଙ୍କ ଲକ୍ଷ୍ୟ ରହିଛି।

ସବୁ ସହରରେ ‘ଓଡ଼ିଶା ଯାତ୍ରୀ’

ରାଜ୍ୟର ବିଭିନ୍ନ ସହରରେ ‘ଓଡ଼ିଶା ଯାତ୍ରୀ’ ଆପ୍‌କୁ ବ୍ୟାପକ କରିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଏହା ମାଧ୍ୟମରେ ଯାତ୍ରୀଙ୍କୁ ସୁବିଧାଜନକ ଓ ନିର୍ଭରଯୋଗ୍ୟ ଗମନାଗମନ ସେବା ଯୋଗାଇବା ସହ ଆପ୍‌ ସହ ଜଡ଼ିତ ଚାଳକଙ୍କ ପାଇଁ ସ୍ଥାୟୀ ଜୀବିକା ସୁଯୋଗ ଓ ପ୍ରତ୍ୟକ୍ଷ ଲାଭ ସୁନିଶ୍ଚିତ କରାଯିବ।

ବୈଠକରେ ଚାଲୁଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା, ସହରାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ମଜବୁତ କରିବା ଏବଂ ବରାଦ ଅର୍ଥର ସମୟୋଚିତ ବିନିଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।