ରାଇରଙ୍ଗପୁର/ବହଳଦା: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଧୀନ ବୁରୁପଳସା ଅଞ୍ଚଳରେ ତିନି ଜଣ ସ୍କୁଲ ଛାତ୍ରୀଙ୍କୁ ନିଶାଯୁକ୍ତ ଚକଲେଟ୍‌ ଖୁଆଇ ଅପହରଣ ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି। ଘଟଣା ପରେ ତିନି ଛାତ୍ରୀ ଅଚେତ ହୋଇପଡ଼ିଥିବା ବେଳେ ସେମାନଙ୍କୁ ପ୍ରଥମେ ବହଳଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ବୁରୁପଳସା ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି ନିକଟରେ ଛାତ୍ରୀମାନେ ଖେଳୁଥିବା ବେଳେ ଏକ ସ୍କୁଟିରେ ତିନି ଜଣ ବ୍ୟକ୍ତି ସେମାନଙ୍କ ନିକଟକୁ ଆସିଥିଲେ। ଅଭିଯୋଗ ଅନୁସାରେ, ସେମାନେ ଛାତ୍ରୀମାନଙ୍କୁ ଚକଲେଟ୍‌ ଖୁଆଇବାକୁ ଚେଷ୍ଟା କରିଥିଲେ। ଛାତ୍ରୀମାନେ ମନା କରିବାରୁ ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

ପରେ ଛାତ୍ରୀମାନେ ଚକଲେଟ୍‌ ଖାଇବା ପରେ ଅଚେତ ହୋଇଯାଇଥିବା କୁହାଯାଉଛି। ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହାୟତାରେ ତିନି ଛାତ୍ରୀଙ୍କୁ ବହଳଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଛି।

ଗୁରୁତର ଛାତ୍ରୀମାନେ ହେଲେ ପଞ୍ଚମ ଶ୍ରେଣୀର ବାସନ୍ତୀ ମାରାଣ୍ଡି, ସୁଗି ମୁର୍ମୁ ଏବଂ ପ୍ରଥମ ଶ୍ରେଣୀର ପାର୍ବତୀ ହେମ୍ବ୍ରମ୍।

ଘଟଣା ସମ୍ପର୍କରେ ଖବର ପାଇ ତିରିଂ ଥାନା ପୁଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ ପକ୍ଷରୁ ଛାନଭିନ୍‌ ଜାରି ରହିଛି।

ତେବେ ଘଟଣାଟି ସ୍କୁଲ ପରିସରରେ ଘଟିଛି ନା ସ୍କୁଲ ବାହାରେ, ତାହାକୁ ନେଇ ଭିନ୍ନ ଭିନ୍ନ ଦାବି ସାମ୍ନାକୁ ଆସିଛି। ବିଇଓ ଶୁଭଶ୍ରୀ ସିଂହଙ୍କ କହିବା ଅନୁଯାୟୀ, ଛାତ୍ରୀମାନଙ୍କୁ ସ୍କୁଲ ବାହାରେ ଚକଲେଟ୍‌ ଦିଆଯାଇଥିଲା। ଅନ୍ୟପକ୍ଷରେ, ଗ୍ରାମବାସୀଙ୍କ ଦାବି ଅନୁସାରେ ସ୍କୁଲ ପରିସରରୁ ହିଁ ଅଚେତ ଅବସ୍ଥାରେ ଛାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା।

ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରିପୋର୍ଟ ଲେଖା ହେବା ସୁଦ୍ଧା ଥାନାରେ ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି। ପୁଲିସ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଓ ଅଭିଯୋଗର ସତ୍ୟତା ସ୍ପଷ୍ଟ ହେବ।