ବୌଦ୍ଧ: ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ (DHH) ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ହସ୍ପିଟାଲର ଅପରେସନ୍ ଥିଏଟର ସିଲିଂ ଭୁଶୁଡ଼ି ପଡ଼ିବା ଫଳରେ ଅପରେସନ୍ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ତେବେ ଦୁର୍ଘଟଣା ସମୟରେ ଅପରେସନ୍ କକ୍ଷରେ କୌଣସି ରୋଗୀ କିମ୍ବା ଡାକ୍ତର ଉପସ୍ଥିତ ନଥିବାରୁ ସୌଭାଗ୍ୟବଶତଃ କାହାରି କିଛି କ୍ଷତି ହୋଇନାହିଁ।

ଗତ କିଛି ଦିନ ହେବ ଅଞ୍ଚଳରେ ଚାଲିଥିବା ଲଗାଣ ବର୍ଷା ଯୋଗୁଁ ହସ୍ପିଟାଲ କୋଠାର ଛାତରୁ ପାଣି ଗଳି ସିଲିଂ ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲା। ରାତି ସମୟରେ ହଠାତ୍ ଏହି ଓଦା ସିଲିଂଟି ଅପରେସନ୍ କକ୍ଷ ଭିତରେ ଖସି ପଡ଼ିଥିଲା। ଏହି ଅଘଟଣ ଯୋଗୁଁ ଅପରେସନ୍ ଟେବୁଲ୍ ଏବଂ କିଛି ଚିକିତ୍ସା ସରଞ୍ଜାମ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାଟି ରାତିରେ ଘଟିଥିବାରୁ ଏବଂ ସେହି ସମୟରେ କୌଣସି ଅସ୍ତ୍ରୋପଚାର ଚାଲୁ ନଥିବାରୁ ଏକ ବଡ଼ ବିପଦ ଏଡ଼ାଇ ଯାଇଛି।

ଘଟଣା ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇ କହିଛନ୍ତି ଯେ, କୌଣସି ରୋଗୀ, ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କର କୌଣସି ଆହାତ ବା କ୍ଷୟକ୍ଷତି ହୋଇନାହିଁ। ତେବେ ଅପରେସନ୍ ଥିଏଟର ଭାଙ୍ଗିଯାଇଥିବାରୁ ସାମୟିକ ଭାବେ ଅସ୍ତ୍ରୋପଚାର ସେବା ବନ୍ଦ ରହିଛି, ଯାହାଫଳରେ ଜରୁରୀକାଳୀନ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଅନ୍ୟପଟେ, ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO) ଏହି ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନୂତନ ହସ୍ପିଟାଲ କୋଠାରେ ଚିକିତ୍ସାସେବା ଧୀରେ ଧୀରେ ଆରମ୍ଭ କରାଗଲାଣି। ଆଗାମୀ ଅଳ୍ପ କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହସ୍ପିଟାଲ ସେଠାକୁ ସ୍ଥାନାନ୍ତରିତ ହୋଇ କାର୍ଯ୍ୟକ୍ଷମ ହେବ। ନୂତନ କୋଠାକୁ ସମ୍ପୂର୍ଣ୍ଣ ସେବା ସ୍ଥାନାନ୍ତର ହୋଇଗଲେ ଭିତ୍ତିଭୂମିଗତ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।