କଟକ: ସିଲଭର ସିଟି କଟକରେ ପୁଣି ସାମ୍ନାକୁ ଆସିଛି ଅପମିଶ୍ରିତ ପନିର କାରବାର। କଟକ ମହାନଗର ନିଗମର ଫୁଡ୍ ସେଫଟି ଟିମ୍ ଚଢ଼ଉ କରି ୫୦ କୁଇଣ୍ଟାଲରୁ ଅଧିକ ଅପମିଶ୍ରିତ ପନିର ଜବତ କରିଛି। ଗତକାଲି ୬୦ କିଲୋଗ୍ରାମ୍ ପନିର ଜବତ ହୋଇଥିବା ବେଳେ ଆଜି ଏତେ ବଡ଼ ପରିମାଣର ନକଲି ପନିର ଜବତ ହେବା ଘଟଣା ସହରବାସୀଙ୍କୁ ସ୍ତବ୍ଧ କରିଦେଇଛି।

ଆଗକୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଥିବାରୁ ବଜାରରେ ପନିର, ମିଠା ଓ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟର ଚାହିଦା ଯଥେଷ୍ଟ ଅଧିକ ରହିଛି। ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ଅଧିକ ଲାଭ ଅର୍ଜନ ଆଶାରେ ବଜାରକୁ ଏହି ଅପମିଶ୍ରିତ ଓ ନିମ୍ନମାନର ପନିର ଯୋଗାଣ କରୁଥିବା ଫୁଡ୍ ସେଫଟି ଟିମ୍ ସନ୍ଦେହ କରିଛି। ତେବେ ଠିକ୍ ସମୟରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାରୁ ଏକ ବଡ଼ ସ୍ୱାସ୍ଥ୍ୟଗତ ବିପଦ ଏଡ଼ାଇ ଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ବିପୁଳ ପରିମାଣର ଅପମିଶ୍ରିତ ପନିର କଟକ ଜିଲ୍ଲାର ନିଆଳି ଅଞ୍ଚଳରୁ ସହରକୁ ଆସୁଥିଲା। ଏହି ଘଟଣାର ପରଦାଫାଶ ହେବା ପରେ କଟକ ମହାନଗର ନିଗମର ଫୁଡ୍ ସେଫଟି ଟିମ୍‌ ପକ୍ଷରୁ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ନିଆଳି ଅଞ୍ଚଳରେ ଥିବା ବେଆଇନ ପନିର ପ୍ରସ୍ତୁତି ଆଡ୍ଡା ଓ ଡାଏରୀ ୟୁନିଟ୍‌ଗୁଡ଼ିକ ଉପରେ କଡ଼ା ନଜର ରଖିବା ସହ ତୁରନ୍ତ ଚଢ଼ଉ କରିବାକୁ ଅନୁରୋଧ କରାଯାଇଛି।

ଅପମିଶ୍ରିତ ପନିରରେ କ୍ଷତିକାରକ କେମିକାଲ୍, ଡିଟରଜେଣ୍ଟ ଓ ନିମ୍ନମାନର ଫ୍ୟାଟ୍ ବ୍ୟବହାର କରାଯାଉଥିବାରୁ ଏହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କଟକ ସହରର ବିଭିନ୍ନ ବଜାର, ହୋଟେଲ୍, ମିଠା ଦୋକାନ ଏବଂ ହୋଲସେଲ୍ ଗୋଦାମଗୁଡ଼ିକରେ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଫୁଡ୍ ସେଫଟି ଟିମ୍ ସୂଚନା ଦେଇଛି।