ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଭାଗରେ ସୃଷ୍ଟି ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୋଟର ତାଲିକାର ସ୍ୱତନ୍ତ୍ର ନିବିଡ଼ ସଂଶୋଧନ ପ୍ରକ୍ରିୟା ପାଇଁ ଦାବି ଓ ଆପତ୍ତି ଦାଖଲ ଅବଧିକୁ ଆଉ ୩୦ ଦିନ ବୃଦ୍ଧି କରିବାକୁ ବିଜୁ ଜନତା ଦଳ ଦାବି କରିଛି। ଏ ନେଇ ବିଜେଡି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଳନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ପୂର୍ବରୁ ନିର୍ବାଚନ ଆୟୋଗ ଏହି ସମୟସୀମାକୁ ଅଗଷ୍ଟ ୪ ରୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ବୃଦ୍ଧି କରିଥିବାରୁ ବିଜେଡି ଧନ୍ୟବାଦ ଜଣାଇଛି। ତେବେ ବର୍ତ୍ତମାନ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା, ବନ୍ୟା ଓ ଜଳବନ୍ଦୀ ସମସ୍ୟା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲୋକମାନେ ନିଜର ସୁରକ୍ଷା ଓ ରିଲିଫ୍ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ବିଏଲ୍‌ଓ କିମ୍ବା ଇଆର ଓ କାର୍ଯ୍ୟାଳୟକୁ ଯାଇ ଆବେଦନ କରିବା ସମ୍ଭବ ହେଉନାହିଁ।

ବିଜେଡି ନିଜ ସ୍ମାରକପତ୍ରରେ ଉଲ୍ଲେଖ କରିଛି ଯେ:

ଭୋଟର ତାଲିକା ସଂଶୋଧନ ପାଇଁ ପ୍ରଚୁର ସଂଖ୍ୟାରେ ନୋଟିସ୍ ଓ ଯାଞ୍ଚ କାର୍ଯ୍ୟ ବାକି ରହିଛି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସାଧାରଣ ନାଗରିକ, ବୁଥ୍ ଲେଭେଲ୍ ଏଜେଣ୍ଟ (BLA) ଏବଂ ନିର୍ବାଚନ ଅଧିକାରୀମାନେ ନିଜର କାର୍ଯ୍ୟ ସମ୍ପାଦନ କରିବାରେ ବାଧାପ୍ରାପ୍ତ ହେଉଛନ୍ତି। ବନ୍ୟା ଯୋଗୁଁ କୌଣସି ଯୋଗ୍ୟ ଭୋଟର ଯେପରି ନିଜର ମତାଧିକାର କିମ୍ବା ତାଲିକାରେ ନାମ ସାମିଲ କରିବାରୁ ବଞ୍ଚିତ ନହୁଅନ୍ତି, ତାହା ସୁନିଶ୍ଚିତ କରିବା ଜରୁରୀ।

ଲୋକସ୍ୱାର୍ଥକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୯ ପରଠାରୁ ଆଉ ୩୦ ଦିନ ସମୟ ବୃଦ୍ଧି କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ସୁପାରିଶ ଲୋଡ଼ିବାକୁ ବିଜେଡି CEOଙ୍କୁ ଅନୁରୋଧ କରିଛି। ଏହା ସହିତ ବନ୍ୟା ପ୍ରଭାବିତ ଓ ଦୁର୍ଗମ ଅଞ୍ଚଳରେ ବିଶେଷ ସଚେତନତା ଓ ସୁବିଧା ଯୋଗାଇଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି।