ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡ଼ାରୁ ଆମଦାନୀ ହେଉଥିବା ବିଭିନ୍ନ ଦ୍ରବ୍ୟ ଉପରେ ଲାଗୁ ହେବାକୁ ଥିବା ୫୦ ପ୍ରତିଶତ ଶୁଳ୍କ କୁ ୩ ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଦୁଇ ପ୍ରତିବେଶୀ ଦେଶ ମଧ୍ୟରେ ଏକ ବାଣିଜ୍ୟିକ ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାରୁ କାନାଡ଼ାର ଅନୁରୋଧ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ସେ ପ୍ରକାଶ କରିଛନ୍ତି।

ହ୍ୱାଇଟ୍ ହାଉସ୍‌ରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି ଯେ, କାନାଡ଼ା ସହିତ ଏକ ଉତ୍ତମ ବୁଝାମଣାର ସମ୍ଭାବନା ରହିଛି। ଆମେରିକୀୟ କୃଷକମାନେ କାନାଡ଼ା ବାଣିଜ୍ୟ ନୀତି ଯୋଗୁଁ କ୍ଷତିଗ୍ରସ୍ତ ହେଉଥିଲେ, ଯାହାର ସମାଧାନ କରାଯିବ। ଏହା ସହିତ କାନାଡ଼ାର ଷ୍ଟିଲ ଏବଂ ଆଲୁମିନିୟମ୍ ଉପରୁ ଆମେରିକା ଶୁଳ୍କ କୋହଳ କରିବା ନେଇ ବିଚାର କରୁଛି। ଅନ୍ୟ ବାଣିଜ୍ୟିକ ସହଯୋଗୀ ଦେଶଗୁଡ଼ିକ ଭଳି କାନାଡ଼ାକୁ ମଧ୍ୟ ସମାନ ଶୁଳ୍କ ହାରର ସୁବିଧା ଦିଆଯାଇପାରେ।

ଆମେରିକା ଓ କାନାଡ଼ା ମଧ୍ୟରେ ବିଶ୍ୱର ଅନ୍ୟତମ ବୃହତ୍ ବାଣିଜ୍ୟିକ ସମ୍ପର୍କ ରହିଛି। ବିଶେଷ କରି ଅଟୋମୋବାଇଲ୍, କୃଷି ଏବଂ ଶକ୍ତି କ୍ଷେତ୍ର ଦୁଇ ଦେଶର ଯୋଗାଣ ଶୃଙ୍ଖଳା ଉପରେ ନିର୍ଭରଶୀଳ। ଏହି ୩ ଦିନର ସ୍ଥଗିତାଦେଶ ଫଳରେ ଦୁଇ ଦେଶର ବାଣିଜ୍ୟିକ ଆଲୋଚନାକାରୀମାନଙ୍କୁ ଚୂଡ଼ାନ୍ତ ଚୁକ୍ତିପତ୍ର ପ୍ରସ୍ତୁତ କରିବା ପାଇଁ ଅତିରିକ୍ତ ସମୟ ମିଳିଛି।