ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅନଲାଇନ୍ ଅଟୋ ଚାଳକଙ୍କ ଆନ୍ଦୋଳନ ସମୟରେ ଘଟିଥିବା ହିଂସାତ୍ମକ ଘଟଣାକୁ ନେଇ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାସ୍ତାରୋକ, ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଓ ପୁଲିସ ଉପରେ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ମନ୍ତ୍ରୀଙ୍କ କଡ଼ା ଚେତାବନୀ:
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ ଆଇନକୁ ହାତକୁ ନେଇଛନ୍ତି, ସାଧାରଣ ଲୋକଙ୍କୁ ଆକ୍ରମଣ କରିଛନ୍ତି କିମ୍ବା ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି, ସେମାନଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ।
ହିଂସାରେ ସାମିଲ ଥିବା ଅଟୋ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ (DL) ରଦ୍ଦ କରାଯିବା ସହ ଗାଡ଼ିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (RC) ଏବଂ ରୁଟ୍ ପରମିଟ୍ ବାତିଲ କରାଯିବ।ରାଜଧାନୀରେ ଥିବା ସମସ୍ତ ବେଆଇନ ଅଟୋ ଷ୍ଟାଣ୍ଡଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଭଙ୍ଗାଯିବ।
୧୧୩ କୋର୍ଟଚାଲାଣ, ୭ଟି ମାମଲା ରୁଜୁ: ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ 113ଜଣ ଅଟୋ ଚାଳକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଖାରବେଳନଗର ଥାନାରେ ମୋଟ ୭ଟି ମାମଲା ରୁଜୁ ହୋଇଛି, ଯେଉଁଥିରେ ସାଧାରଣ ଲୋକଙ୍କ ପକ୍ଷରୁ ୨ଟି, ‘ଆମ ବସ୍’ କର୍ମଚାରୀଙ୍କ ପକ୍ଷରୁ ୪ଟି ଏବଂ ପୁଲିସ ପକ୍ଷରୁ ୧ଟି ମାମଲା ଅନ୍ତର୍ଭୁକ୍ତ।
ସିସିଟିଭି ଫୁଟେଜ୍, ପୁଲିସ ରେକର୍ଡ ଓ ଜବତ ତାଲିକା ଆଧାରରେ ରାସ୍ତା ଅବରୋଧରେ ବ୍ୟବହୃତ ୪୦୦ରୁ ଅଧିକ ଅଟୋରିକ୍ସାକୁ ଚିହ୍ନଟ କରାଯାଇଛି। ଭୁବନେଶ୍ୱର-୧ ଆରଟିଓ (RTO) ପକ୍ଷରୁ ସମ୍ପୃକ୍ତ ସମସ୍ତ ଗାଡ଼ି ମାଲିକ ଓ ପରମିଟ୍ ଧାରୀଙ୍କୁ ‘କାରଣ ଦର୍ଶାଅ’ ନୋଟିସ୍ ଜାରି କରାଯାଇଛି। ବ୍ୟକ୍ତିଗତ ଶୁଣାଣି ପାଇଁ ସେମାନଙ୍କୁ ଆରଟିଓ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ଏହି କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅସାଧୁ ଚାଳକଙ୍କ ମଧ୍ୟରେ ଛାତ୍କାର ସୃଷ୍ଟି ହୋଇଛି।




