ରାଉରକେଲା: ରାଉରକେଲା ସର୍କିଟ୍‌ ହାଉସ୍‌ରୁ ବନ୍ଧୁକ, ଜୀବନ୍ତ ଗୁଳି ଓ ମ୍ୟାଗାଜିନ୍‌ ଜବତ ଘଟଣାରେ ନୂଆ ମୋଡ଼ ଆସିଛି। ଘଟଣାକୁ ନେଇ ରାଉରକେଲାର ବିଜେପି ଯୁବନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପ୍ରତିନିଧି ପ୍ରକାଶ ପାଶ୍ୱାନଙ୍କୁ ଦଳରୁ ନିଲମ୍ବନ କରାଯାଇଛି।

ପ୍ରକାଶ ପାଶ୍ୱାନ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ। ଦଳୀୟ ଅନୁଶାସନ ଭଙ୍ଗ ଓ ବିଶୃଙ୍ଖଳା ଆଚରଣ ଅଭିଯୋଗରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ରାଜ୍ୟ ବିଜେପି ଶୃଙ୍ଖଳା କମିଟିର ଆବାହକ ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଏହି ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।

ସର୍କିଟ୍‌ ହାଉସ୍‌ରୁ ଜବତ ହୋଇଥିଲା ବନ୍ଧୁକ, ଗୁଳି

ଗତ ୧୪ ତାରିଖରେ ରାଉରକେଲା ସର୍କିଟ୍‌ ହାଉସ୍‌ରୁ ୪ଟି ବନ୍ଧୁକ, ୧୧ଟି ଜୀବନ୍ତ ଗୁଳି ଓ ୪ଟି ମ୍ୟାଗାଜିନ୍‌ ଜବତ କରିଥିଲା ପୁଲିସ। ଏହି ଘଟଣାରେ ୭ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଥିଲା।

ପୁଲିସର ତଦନ୍ତରୁ ସର୍କିଟ୍‌ ହାଉସ୍‌ରେ ଅପରାଧୀମାନେ ପ୍ରାୟ ୨୦ ଦିନ ଧରି ରହିଥିବା ଜଣାପଡ଼ିଥିବା ବେଳେ, ଏହାକୁ ସେମାନେ ଏକ ସୁରକ୍ଷିତ ଆଡା ଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଅପରାଧୀମାନଙ୍କୁ ଆଶ୍ରୟ ଦେବା କିମ୍ବା ସର୍କିଟ୍‌ ହାଉସ୍‌ରେ ରୁମ୍‌ ବୁକିଂ କରାଇବାରେ ପ୍ରକାଶ ପାଶ୍ୱାନଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହୋଇଥିଲା।

ଘଟଣା ସାମ୍ନାକୁ ଆସିବା ପରେ ରାଉରକେଲାରେ ରାଜନୈତିକ ମହଲରେ ମଧ୍ୟ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିଲା।

୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା

ଘଟଣାର ତଦନ୍ତ ଏବେ ମଧ୍ୟ ଜାରି ରହିଛି। ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି। ଏହି ନେଟ୍‌ୱର୍କ ସହ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ସର୍କିଟ୍‌ ହାଉସ୍‌ରେ ଅପରାଧୀମାନେ କିପରି ରହିବାର ସୁଯୋଗ ପାଇଥିଲେ, ସେନେଇ ପୁଲିସ ଖୋଳତାଡ଼ ଜାରି ରଖିଛି। ଏଥିସହ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ମଧ୍ୟ ଛାନଭିନ୍‌ ଚାଲିଛି।