ଭୁବନେଶ୍ୱର: ୨୦୨୬-୨୭ ଶିକ୍ଷାବର୍ଷରେ ଓଡ଼ିଶାର ମେଡିକାଲ ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିଛି। ରାଜ୍ୟର ଦୁଇଟି ମେଡିକାଲ କଲେଜରେ ୫୦ ଲେଖାଏ ମୋଟ ୧୦୦ଟି ଏମ୍‌ବିବିଏସ୍‌ ସିଟ୍‌ ବୃଦ୍ଧି ହୋଇଛି। ବୁର୍ଲାସ୍ଥିତ ଭିମ୍‌ସାରରେ ୫୦ଟି ଏବଂ କଟକସ୍ଥିତ ଡ୍ରିମ୍‌ସରେ ୫୦ଟି ସିଟ୍‌ ବଢ଼ିଛି।

ଏହି ବୃଦ୍ଧି ପରେ ରାଜ୍ୟର ୧୪ଟି ସରକାରୀ ମେଡିକାଲ କଲେଜରେ ମୋଟ ୧୮୫୦ଟି ଏମ୍‌ବିବିଏସ୍‌ ସିଟ୍‌ ରହିଛି। ଏଥିରୁ ୧୫ ପ୍ରତିଶତ ସିଟ୍‌ ସର୍ବଭାରତୀୟ କୋଟାରେ ନାମଲେଖା ପାଇଁ ରହିବ। ଅବଶିଷ୍ଟ ୮୫ ପ୍ରତିଶତ, ଅର୍ଥାତ୍‌ ୧୫୭୨ଟି ସିଟ୍‌ରେ ଓଡ଼ିଶାର ଛାତ୍ରଛାତ୍ରୀ ନାମଲେଖା କରିପାରିବେ।

ଅନ୍ୟପକ୍ଷରେ, ଘରୋଇ ମେଡିକାଲ କଲେଜରେ ମଧ୍ୟ ୫୦ଟି ସିଟ୍‌ ବଢ଼ି ମୋଟ ୪୦୦ରେ ପହଞ୍ଚିଛି। ଫଳରେ ଚଳିତ ଶିକ୍ଷାବର୍ଷରେ ରାଜ୍ୟର ୧୭ଟି ମେଡିକାଲ କଲେଜରେ ମୋଟ ୨୨୫୦ ଏମ୍‌ବିବିଏସ୍‌ ସିଟ୍‌ରେ ନାମଲେଖା ହେବ।

୧୯୭୨ ସିଟ୍‌ ପାଇଁ ଓଜେଇଇ କାଉନସେଲିଂ

ସର୍ବଭାରତୀୟ କୋଟାର ସିଟ୍‌କୁ ବାଦ୍‌ ଦେଲେ ଅନ୍ୟ ଏମ୍‌ବିବିଏସ୍‌ ସିଟ୍‌ ପାଇଁ ଓଜେଇଇ ପକ୍ଷରୁ କାଉନସେଲିଂ କରାଯାଉଛି। ସରକାରୀ ଓ ଘରୋଇ ମେଡିକାଲ କଲେଜକୁ ମିଶାଇ ଏଥର ୧୯୭୨ଟି ଏମ୍‌ବିବିଏସ୍‌ ସିଟ୍‌ ପାଇଁ କାଉନସେଲିଂ ହେବ।

କଟକ ଏସ୍‌ସିବି ଓ ବ୍ରହ୍ମପୁର ଏମ୍‌କେସିଜିର ୨୧୨ଟି ଲେଖାଏ ସିଟ୍‌ ଥିବାବେଳେ ଭିମ୍‌ସାରରେ ୨୧୩ଟି ସିଟ୍‌ ପାଇଁ କାଉନସେଲିଂ ହେଉଛି। କୋରାପୁଟ ଓ ବାରିପଦା ମେଡିକାଲ କଲେଜରେ ୧୦୬ଟି ଲେଖାଏ ସିଟ୍‌ ଏବଂ ବଲାଙ୍ଗୀର, ବାଲେଶ୍ୱର, ତାଳଚେର, ଫୁଲବାଣୀ, ପୁରୀ, ସୁନ୍ଦରଗଡ଼, ଭବାନୀପାଟଣା ଓ କେନ୍ଦୁଝର ମେଡିକାଲ କଲେଜରେ ୮୫ଟି ଲେଖାଏ ସିଟ୍‌ ପାଇଁ କାଉନସେଲିଂ ହେଉଛି।

ଯାଜପୁର ମେଡିକାଲ କଲେଜରେ ସିଟ୍‌ ବୃଦ୍ଧିକୁ ଅନୁମତି ନାହିଁ

ଯାଜପୁର ମେଡିକାଲ କଲେଜରେ ଆଉ ୫୦ଟି ଏମ୍‌ବିବିଏସ୍‌ ସିଟ୍‌ ବଢ଼ାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଜାତୀୟ ମେଡିକାଲ କମିସନ (NMC)ଙ୍କ ନିକଟରେ ଆବେଦନ କରିଥିଲା। ତେବେ ଏଥିପାଇଁ ଅନୁମତି ମିଳିନାହିଁ। ତେଣୁ ଗତବର୍ଷ ଭଳି ଏଥର ମଧ୍ୟ ଏଠାରେ ୫୦ଟି ସିଟ୍‌ ରହିବ, ଯେଉଁଥିରୁ ୪୩ଟି ସିଟ୍‌ ପାଇଁ ଓଜେଇଇ କାଉନସେଲିଂ କରିବ।

ଏହାବ୍ୟତୀତ ହାଇଟେକ୍‌ ମେଡିକାଲ କଲେଜ, ଭୁବନେଶ୍ୱର ଓ ଡ୍ରିମ୍‌ସରେ ୧୫୦ଟି ଲେଖାଏ ଏବଂ ରାଉରକେଲା ହାଇଟେକ୍‌ ମେଡିକାଲ କଲେଜରେ ୧୦୦ଟି ଏମ୍‌ବିବିଏସ୍‌ ସିଟ୍‌ ପାଇଁ ଓଜେଇଇ ମାଧ୍ୟମରେ ନାମଲେଖା ହେବ। ଏହା ସହିତ ଏସ୍‌ସିବିର ୫୪ଟି ଓ ହାଇଟେକ୍‌ ଭୁବନେଶ୍ୱରର ୧୦୦ଟି ବିଡିଏସ୍‌ ସିଟ୍‌ ପାଇଁ ମଧ୍ୟ ଓଜେଇଇ କାଉନସେଲିଂ କରୁଛି।

୬୨୧୭ ନିଟ୍‌ ରାଙ୍କଧାରୀଙ୍କୁ ନେଇ ମେଧା ତାଲିକା

ଓଜେଇଇ ପକ୍ଷରୁ ପ୍ରକାଶିତ ରାଜ୍ୟସ୍ତରୀୟ ରାଙ୍କରେ ମୋଟ ୬,୨୧୭ ଜଣ ନିଟ୍‌ ରାଙ୍କଧାରୀ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି। ଅଗଷ୍ଟ ୨୨ ତାରିଖ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ମେଧା ତାଲିକାରେ ଥିବା ପ୍ରାର୍ଥୀମାନେ ଚଏସ୍‌ ଫିଲିଂ କରିପାରିବେ।

ଅଗଷ୍ଟ ୨୨ ପୂର୍ବାହ୍ଣ ୧୧ଟା ୩୦ରୁ ଚଏସ୍‌ ଲକିଂ ଆରମ୍ଭ ହେବ। ଅଗଷ୍ଟ ୨୪ ଅପରାହ୍ଣ ୨ଟାରେ ପ୍ରଥମ ରାଉଣ୍ଡ ପ୍ରୋଭିଜନାଲ ଆଲଟ୍‌ମେଣ୍ଟ ହେବ। ଅଗଷ୍ଟ ୨୫ ଅପରାହ୍ଣ ୨ଟାରେ ଅଭିଯୋଗ ଶୁଣାଣି ହେବା ପରେ ଅଗଷ୍ଟ ୨୬ ପୂର୍ବାହ୍ଣ ୧୧ଟା ୩୦ରେ ପ୍ରଥମ ରାଉଣ୍ଡ ଫାଇନାଲ ଆଲଟ୍‌ମେଣ୍ଟ ହେବ ଏବଂ ପ୍ରାର୍ଥୀମାନେ ଆଲଟ୍‌ମେଣ୍ଟ ଲେଟର୍‌ ଡାଉନ୍‌ଲୋଡ୍‌ କରିପାରିବେ।

ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୬ ମଧ୍ୟରେ ମୂଳ ଦସ୍ତାବିଜ ସହ ନାମଲେଖା ଫି’ ଦାଖଲ କରି ଓଜେଇଇ ସେଲ୍‌ରେ ପ୍ରୋଭିଜନାଲ ନାମଲେଖା କରାଯାଇପାରିବ ବୋଲି ଓଜେଇଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।