ମୋଗାଦିଶୁ: ସୋମାଲିଆର ପୁଣ୍ଟଲାଣ୍ଡ ଉପକୂଳରେ ତୁର୍କୀର ଅସ୍ତ୍ରଶସ୍ତ୍ର ଓ ସାମରିକ ସାମଗ୍ରୀ ନେଇ ଯାଉଥିବା ଏକ କାର୍ଗୋ ଜାହାଜକୁ ସମୁଦ୍ର ଡକାୟତମାନେ ଅପହରଣ କରିଥିବା ଜଣାପଡ଼ିଛି। ଜାହାଜରେ ୬ ଜଣ ଭାରତୀୟ ନାବିକଙ୍କ ସମେତ ୧୦ ଜଣ କ୍ରୁ ସଦସ୍ୟ ଥିବା ସୂଚନା ମିଳିଛି। ଗୁରୁବାର ସୋମାଲିଆର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଘଟଣାର ଚାରି ଦିନ ପରେ ମଧ୍ୟ ଅପହୃତ ଜାହାଜ ଓ ଏଥିରେ ଥିବା କ୍ରୁ ସଦସ୍ୟଙ୍କ ବର୍ତ୍ତମାନ ସ୍ଥିତି ସ୍ପଷ୍ଟ ହୋଇନାହିଁ। ଏହାକୁ ନେଇ ଚିନ୍ତା ବଢ଼ିଛି।

୮ ସଶସ୍ତ୍ର ଡକାୟତଙ୍କ ଆକ୍ରମଣ

ସୂଚନା ଅନୁଯାୟୀ, କାମେରୁନ୍‌ ପତାକା ବହନ କରୁଥିବା ଏମ୍‌/ଭି ଲୁତୁଫ୍‌ ନାମକ କାର୍ଗୋ ଜାହାଜଟି ସୋମବାର ପୁଣ୍ଟଲାଣ୍ଡର ଏଇଲ ଜିଲ୍ଲା ଅନ୍ତର୍ଗତ ମାରାୟା ଅଞ୍ଚଳଠାରୁ ପ୍ରାୟ ସାଢ଼େ ୩ ନଟିକାଲ୍‌ ମାଇଲ୍‌ ଦୂରରେ ଥିବାବେଳେ ଅପହରଣର ଶିକାର ହୋଇଥିଲା।

ଜାହାଜଟି ପୋଲାର ମୁଭମେଣ୍ଟ ସିପିଂର ମାଲିକାନାରେ ଥିବା କୁହାଯାଇଛି। ଏଥିରେ ମୋଗାଦିଶୁସ୍ଥିତ ତୁର୍କୀର ସାମରିକ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ଅସ୍ତ୍ରଶସ୍ତ୍ର ସହିତ ଯୋଗାଯୋଗ ଓ ଉପଗ୍ରହ ଉପକରଣ ନିଆଯାଉଥିଲା।

ଜାହାଜରେ ଥିବା ୧୦ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରେ ୬ ଜଣ ଭାରତୀୟ, ଜଣେ ତୁର୍କୀ ନାଗରିକ, ଜଣେ ଜର୍ଜିଆ ନାଗରିକ ଏବଂ ଦୁଇ ଜଣ ସର୍ବିଆ ନାଗରିକ ଥିବା ଜଣାପଡ଼ିଛି।

ଉପକୂଳ ଆଡ଼କୁ ନେଇଯାଇଥିବା ସନ୍ଦେହ

ଅପହରଣରେ ପ୍ରାୟ ୮ ଜଣ ସଶସ୍ତ୍ର ସମୁଦ୍ର ଡକାୟତ ସାମିଲ ଥିବା ଆଶଙ୍କା କରାଯାଉଛି। ସେମାନେ ଜାହାଜଟିକୁ ପୁଣ୍ଟଲାଣ୍ଡର ଡାଙ୍ଗୋରୋୟୋ ଜିଲ୍ଲାର ଗାରମାଲ ନିକଟ ଉପକୂଳ ଆଡ଼କୁ ନେଇଯାଇଥିବା ସୂଚନା ମିଳିଛି।

ଏହି ଡକାୟତମାନେ ଗତ ଏପ୍ରିଲ ୨୬ରେ ଏମ୍‌/ଭି ସ୍ବାର୍ଡ ଜାହାଜ ଅପହରଣ ଘଟଣାରେ ସାମିଲ ଥିବା ଗୋଷ୍ଠୀର ହୋଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି। ତେବେ ଅପହୃତ ଜାହାଜ ଓ ଏଥିରେ ଥିବା ନାବିକମାନଙ୍କ ସ୍ଥିତି ସମ୍ପର୍କରେ ଏଯାଏଁ ଅଧିକ ସ୍ପଷ୍ଟ ସୂଚନା ମିଳିନାହିଁ।