ଆନନ୍ଦପୁର: ବୈତରଣୀ ନଦୀର ବନ୍ୟାଜଳ ପୁଣିଥରେ ଆନନ୍ଦପୁର ସହର ମଧ୍ୟରେ ପ୍ରବେଶ କରିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ସୃଷ୍ଟି ହୋଇଛି।ଦୀର୍ଘ ୫୫ ବର୍ଷ ପରେ ଆନନ୍ଦପୁର ରିଂ ବନ୍ଧରେ ଘାଇ ହୋଇ ଚଳିତ ଋତୁରେ ତିନି ତିନିଥର ବନ୍ୟାଜଳ ସହରକୁ ପଶିବା ଘଟଣା ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଦେଇଛି।ଏହି ସଂକଟମୟ ପରିସ୍ଥିତିକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ରାଜନୀତି ବି ସରଗରମ ହେବାରେ ଲାଗିଛି।

୧୯୭୨ ମସିହାରେ ଆନନ୍ଦପୁର ସ୍ଥିତ ବ୍ରଜବନ୍ଧୁ ବିଦ୍ୟାପୀଠ ନିକଟରେ ରିଂ ବନ୍ଧ ଭାଙ୍ଗି ବନ୍ୟାଜଳ ସହର ଭିତରକୁ ପଶି ପ୍ରଳୟ ରଚିଥିଲା।ତା’ପରଠାରୁ ଦୀର୍ଘ ଦଶନ୍ଧି ଧରି ସହରବାସୀ ସୁରକ୍ଷିତ ଥିଲେ।ମାତ୍ର ଚଳିତ ବର୍ଷ ବାରମ୍ବାର ରିଂ ବନ୍ଧରେ ଘାଇ ହେବା ଏବଂ ବନ୍ୟାଜଳ ପ୍ରବେଶ କରିବା ପ୍ରଶାସନିକ ଅବହେଳାକୁ ପଦାରେ ପକାଇଛି।

ଏହି ସମ୍ବେଦନଶୀଳ ମୁଦ୍ଦାକୁ ନେଇ ବିରୋଧୀ କଂଗ୍ରେସ ଦଳ ରାଜ୍ୟ ଜଳସମ୍ପଦ ବିଭାଗକୁ ସିଧାସଳଖ ଦାୟୀ କରିଛି।ବିଭାଗୀୟ ଅବହେଳା ଓ ଗଠନମୂଳକ ତ୍ରୁଟି ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ଏବଂ ଏହା ସମ୍ପୂର୍ଣ୍ଣ ଭାବେ ‘ମନୁଷ୍ୟକୃତ ବନ୍ୟା’ ବୋଲି କଂଗ୍ରେସ ଅଭିଯୋଗ ଆଣିଛି।ଏଥିସହିତ, ଆନନ୍ଦପୁରର ଯୁବ ସମାଜସେବୀ ଯଜ୍ଞ ପ୍ରସାଦ ଜଳସମ୍ପଦ ବିଭାଗର କାର୍ଯ୍ୟଶୈଳୀ ଓ ବେପରୁଆ ମନୋଭାବ ବିରୋଧରେ ସ୍ଥାନୀୟ ଥାନାରେ ଏକ ଲିଖିତ ଏତାଲା ମଧ୍ୟ ଦାୟର କରିଛନ୍ତି।

ଏହି ମନୁଷ୍ୟକୃତ ବନ୍ୟା ସନ୍ଦେହକୁ ଆହୁରି ଦୃଢ଼ କରୁଛି ସାମ୍ନାକୁ ଆସିଥିବା ଏକ ନୂଆ ବିଭାଗୀୟ ତଥ୍ୟ।ରାଜ୍ୟ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀ, ଦରଗୁଡ଼ିଶିଳା ଠାରେ ଥିବା ‘ବୈତରଣୀ ପାୱାର ପ୍ରୋଜେକ୍ଟ ଲିମିଟେଡ୍’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ଉକ୍ତ କମ୍ପାନୀ ନଦୀର ତଳମୁଣ୍ଡରେ ଅନିୟନ୍ତ୍ରିତ ଭାବେ ବନ୍ୟାଜଳ ନିଷ୍କାସନ କରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିବା ନେଇ ତାହାକୁ ‘କାରଣ ଦର୍ଶାଅ’ ନୋଟିସ୍ ଜାରି କରିବାକୁ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି। ଏହି ସମଗ୍ର ଘଟଣା, ନୋଟିସ୍ ଏବଂ ବନ୍ଧ ସୁରକ୍ଷା ସମ୍ପର୍କରେ ସତ୍ୟାସତ୍ୟ ଜାଣିବା ପାଇଁ ଆନନ୍ଦପୁର ବ୍ୟାରେଜ୍ ଡିଭିଜନର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।