ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି। ବିଶେଷ ରିଲିଫ୍ କମିଶନର (SRC) ଏବଂ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ର ସୂଚନା ଅନୁଯାୟୀ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ା ଏବଂ ସୁନ୍ଦରଗଡ଼ ଏହି ୭ଟି ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି।

ସମୁଦାୟ ୭୬ଟି ବ୍ଲକ୍, ୫୦୫ଟି ଗ୍ରାମ ପଞ୍ଚାୟତ, ୧,୭୦୩ଟି ଗାଁ ଏବଂ ୧୨ଟି ପୌରାଞ୍ଚଳର ମୋଟ ୧୩,୪୪,୬୯୮ ଜଣ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ତେବେ ବର୍ତ୍ତମାନ ସମସ୍ତ ମୁଖ୍ୟ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଉଛି ଏବଂ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି।

ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ୪,୮୭,୩୫୦ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ୮୮୦ଟି ରିଲିଫ୍ ଶିବିରରେ ରଖାଯାଇଛି:

ବନ୍ୟାଞ୍ଚଳରେ ଚାଲୁଥିବା ମାଗଣା ରନ୍ଧା ଖାଦ୍ୟ କେନ୍ଦ୍ରଗୁଡ଼ିକ ଦ୍ୱାରା ଏପର୍ଯ୍ୟନ୍ତ ୪,୯୫,୮୩୩ ଜଣ ହିତାଧିକାରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଜଳବନ୍ଦୀ ଗାଁଗୁଡ଼ିକରେ ବୋଟ୍‌ ମାଧ୍ୟମରେ ଘରେ ଘରେ ରନ୍ଧା ଖାଦ୍ୟ, ପାନୀୟ ଜଳ, ଶୁଖିଲା ଖାଦ୍ୟ ଏବଂ ୪,୭୬୫ଟି ପଲିଥିନ୍ ରୋଲ୍‌ ବଣ୍ଟନ କରାଯାଇଛି। ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧବୃଦ୍ଧା ଏବଂ ଭିନ୍ନକ୍ଷମମାନଙ୍କ ପାଇଁ ଶିବିରଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୩୨ଟି ODRAF, ୮ଟି NDRF, ୪୬ଟି ଅଗ୍ନିଶମ ସେବା ଟିମ୍ ଏବଂ ୪୦ଟି ପୁଲିସ/ସିଭିଲ୍ ଡିଫେନ୍ସ ଟିମ୍‌କୁ ମିଶାଇ ମୋଟ ୧୨୬ଟି ଟିମ୍ ଏବଂ ୨୧୦ଟି ବୋଟ୍‌ ନିୟୋଜିତ କରାଯାଇଛି।

ଏପର୍ଯ୍ୟନ୍ତ ୩୦,୩୦୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବୋଟ୍‌ ମାଧ୍ୟମରେ ୫୫,୧୩୯ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାରକାରୀ ଦଳ ୪୯୨ଟି ବିଚ୍ଛିନ୍ନ ଗାଁରେ ପହଞ୍ଚିବା ସହ ୧୨୪ ଜଣଙ୍କୁ ଜରୁରୀକାଳୀନ ଭାବେ ଡାକ୍ତରଖାନା ସ୍ଥାନାନ୍ତର କରିଛନ୍ତି।

ବନ୍ୟାଞ୍ଚଳରେ ରୋଗ ବ୍ୟାପିବା ରୋକିବା ପାଇଁ ୯୩ଟି ମେଡିକାଲ ଟିମ୍ ନିୟୋଜିତ କରାଯାଇ ୧୫୯ଟି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି, ଯେଉଁଥିରୁ ୧୧,୫୪୯ ଜଣ ଚିକିତ୍ସା ସେବା ପାଇଛନ୍ତି। ୧୫୦ ଜଣ ଗର୍ଭବତୀଙ୍କୁ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇ ୪୪ଟି ସୁରକ୍ଷିତ ପ୍ରସବ କରାଯାଇଛି। ସାପକାମଡ଼ା ଇଞ୍ଜେକ୍ସନ୍ ଏବଂ ORS ର ପର୍ଯ୍ୟାପ୍ତ ମହଜୁଦ୍ ରହିଛି।

ଏହାସହ ଗୃହପାଳିତ ପଶୁଙ୍କ ପାଇଁ ୩୯ଟି ପ୍ରାଣୀଚିକିତ୍ସା ଟିମ୍ ନିୟୋଜିତ ହୋଇ ୧୫,୯୩୯ଟି ପଶୁଙ୍କୁ ଚିକିତ୍ସା ଓ ଟିକାକରଣ କରିଛନ୍ତି ଏବଂ ୧,୪୦୫.୨ ମେଟ୍ରିକ୍ ଟନ୍ ଗୋ-ଖାଦ୍ୟ ବଣ୍ଟନ କରାଯାଇଛି। SRC ଓ SEOC ପକ୍ଷରୁ ସମଗ୍ର ପରିସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି।