ଅମୃତସର: ପଞ୍ଜାବର ଅମୃତସର ଜିଲ୍ଲାରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ଘର ଉପରେ ଗ୍ରେନେଡ୍ ଆକ୍ରମଣ ହୋଇଛି। ରମଦାସ ଅଞ୍ଚଳର ଜଟ୍ଟା ଗାଁରେ ଗୁରୁବାର ରାତିରେ ଘଟିଥିବା ଏହି ଆକ୍ରମଣରେ ଗୋଟିଏ ପରିବାରର ୩ ଜଣ ଆହତ ହୋଇଛନ୍ତି। ସୀମାଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଘଟଣାଟି ଘଟିଥିବା ଜଣାପଡ଼ିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପରିବାରର ସୂଚନା ଅନୁଯାୟୀ, ଦୁଇଜଣ ଅଜଣା ବ୍ୟକ୍ତି ବାଇକ୍ରେ ଘର ନିକଟକୁ ଆସିଥିଲେ। ସେମାନେ ମୁହଁକୁ କପଡ଼ାରେ ଘୋଡ଼ାଇ ରଖିଥିଲେ। ଉଭୟ ଘର ଆଡ଼କୁ ଗ୍ରେନେଡ୍ ଫିଙ୍ଗିବା ପରେ ଜୋରଦାର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଯୋଗୁଁ ଘରର କାଚ ଭାଙ୍ଗିଯିବା ସହ ନିକଟରେ ଥିବା ଏକ ଗାଡ଼ିର କାଚ ମଧ୍ୟ ନଷ୍ଟ ହୋଇଛି।
ଆକ୍ରମଣ ପରେ ଦୁଇ ସନ୍ଦିଗ୍ଧ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ହଠାତ୍ ବିସ୍ଫୋରଣ ଯୋଗୁଁ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ପରିଚୟ ଜଣାପଡ଼ିନାହିଁ କିମ୍ବା କାହାକୁ ଗିରଫ କରାଯାଇନାହିଁ।
ପୁଲିସ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରୁଛି। ଆକ୍ରମଣ ପଛରେ ବ୍ୟକ୍ତିଗତ ବିବାଦ ରହିଛି ନା କୌଣସି ସଂଗଠିତ ଅପରାଧିକ ଷଡ଼ଯନ୍ତ୍ର, ସେନେଇ ତଦନ୍ତ ଚାଲିଛି।
ଘଟଣାକୁ ନେଇ ଶିରୋମଣି ଅକାଳୀ ଦଳ ନେତା ବିକ୍ରମ ମଜିଠିଆ ପଞ୍ଜାବର ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଘଟଣା ସମ୍ପର୍କିତ ଏକ ଭିଡିଓ ‘ଏକ୍ସ’ରେ ପୋଷ୍ଟ କରି ସେ କହିଛନ୍ତି ଯେ ପଞ୍ଜାବର ଲୋକେ ଏବେ ନିଜ ଘରେ ମଧ୍ୟ ସୁରକ୍ଷିତ ନାହାନ୍ତି। ପୂର୍ବରୁ ଥାନାଗୁଡ଼ିକୁ ଟାର୍ଗେଟ୍ କରାଯାଉଥିବା ବେଳେ ଏବେ ସାଧାରଣ ଲୋକଙ୍କ ଘର ଉପରେ ଗ୍ରେନେଡ୍ ଫିଙ୍ଗାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।




