ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ନିବେଶକୁ ଆହୁରି ଗତି ମିଳିଛି। ୧୪୯ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ୧୪ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକରେ ମୋଟ ୨,୭୮୦.୧୦ କୋଟି ଟଙ୍କାର ନିବେଶ ହେବା ସହ ୧୪,୧୦୪ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ଖାଦ୍ୟ ପ୍ରକ୍ରିୟାକରଣ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଓ ପୋଷାକ, ରାସାୟନିକ, ମେଡିକାଲ ଡିଭାଇସ୍, ଇଲେକ୍ଟ୍ରୋନିକ୍ସ, ଇସ୍ପାତ ଏବଂ ଭିତ୍ତିଭୂମି ଭଳି ବିଭିନ୍ନ କ୍ଷେତ୍ରର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି।
ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଅନୁଗୁଳ, ବଲାଙ୍ଗୀର, କଟକ, ଢେଙ୍କାନାଳ, ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତିଷ୍ଠା ହେବ।
ହଳଦୀରାମ ନିବେଶ କରିବ ₹୫୦୦ କୋଟି
ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ହଳଦୀରାମ ସ୍ନାକ୍ସ ଫୁଡ୍ ପକ୍ଷରୁ ୫୦୦ କୋଟି ଟଙ୍କା ନିବେଶରେ ସ୍ନାକ୍ସ ଓ ବେକ୍ଡ୍ ପ୍ରଡକ୍ଟ ୟୁନିଟ୍ ସ୍ଥାପନ କରାଯିବ। ଏହା ଦ୍ୱାରା ୮୦୦ଟି ନିଯୁକ୍ତି ସୃଷ୍ଟି ହେବ।
ସେହିପରି ତିୱାନା ନ୍ୟୁଟ୍ରିସନ୍ ୧୪୦ କୋଟି ଟଙ୍କା ନିବେଶରେ କ୍ୟାଟଲ୍ ଫିଡ୍ ୟୁନିଟ୍ ସ୍ଥାପନ କରିବ। ଏଥିରେ ପ୍ରାୟ ୨,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ବୟନ ଶିଳ୍ପରେ ୫,୧୦୪ ନିଯୁକ୍ତି
ବୟନ କ୍ଷେତ୍ରରେ ସାହାନା କ୍ଲୋଥିଂ ୨୫୧.୪୫ କୋଟି ଟଙ୍କା ନିବେଶରେ ଏକ ୟୁନିଟ୍ ସ୍ଥାପନ କରିବ। ଏହି ପ୍ରକଳ୍ପରୁ ୫,୧୦୪ଟି ନିଯୁକ୍ତି ସୃଷ୍ଟି ହେବ। ରାସାୟନିକ ଶିଳ୍ପ କ୍ଷେତ୍ରରେ ପ୍ରାସୋଲ୍ କେମିକାଲ୍ସ ୪୫୦ କୋଟି ଟଙ୍କା ନିବେଶ କରିବ।
ଖୋର୍ଦ୍ଧାରେ ସିର୍ମା ଏସ୍ଜିଏସ୍ ଟେକ୍ନୋଲୋଜି ୩୦୦ କୋଟି ଟଙ୍କା ବିନିଯୋଗରେ ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ ଆସେମ୍ବଲି ୟୁନିଟ୍ ସ୍ଥାପନ କରିବ।
କେନ୍ଦୁଝରରେ ମେଟାଲ୍ସ ଓ ଫେରୋ ଆଲଏଜ୍ ପ୍ରକଳ୍ପ
କେନ୍ଦୁଝରରେ ମେଟାଲ୍ସ ଓ ଫେରୋ ଆଲଏଜ୍ ପ୍ରକଳ୍ପରେ ୧୬୦ କୋଟି ଟଙ୍କା ନିବେଶ ହେବ। ଏଥିରୁ ୧,୪୬୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଏହାବ୍ୟତୀତ ଅନୁଗୁଳରେ ଏମ୍ସିଏଲ୍ ୪୦୫.୩୫ କୋଟି ଟଙ୍କା ବ୍ୟୟରେ ଘରୋଇ ରେଳ ସାଇଡିଂ ବିକଶିତ କରିବ। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ସହ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।




