ଭୁବନେଶ୍ୱର: ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌-୨୦୨୬କୁ ନେଇ ଓଡ଼ିଶାରେ ଶାସକ ବିଜେପି ଓ ବିଜେଡି ମଧ୍ୟରେ ବିବାଦ ତୀବ୍ର ହୋଇଛି। ଖଣି ରାଜସ୍ୱ, ରାଜ୍ୟର ଅଧିକାର ଓ ଋଣ ପ୍ରସଙ୍ଗକୁ ନେଇ ଉଭୟ ଦଳର ନେତା ପରସ୍ପରକୁ ଆକ୍ରମଣ କରୁଛନ୍ତି। ନିକଟରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିଥିବା ବେଳେ ଶୁକ୍ରବାର ବିଜେଡି ଏହାର ପାଲଟା ଜବାବ ଦେଇଛି।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ଅରୁଣ ସାହୁ ଧର୍ମେନ୍ଦ୍ର ପ୍ରଧାନ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଖଣି ରାଜସ୍ୱ ପ୍ରସଙ୍ଗରେ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି।

ଅରୁଣ ସାହୁ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସମୟରେ ଓଡ଼ିଶାର ଋଣ ଭାର ବୃଦ୍ଧି ପାଇଥିଲା ବୋଲି ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ‘ପିଲାଳିଆ ଓ ହାସ୍ୟାସ୍ପଦ’। ତାଙ୍କ ଦାବି ଅନୁଯାୟୀ, ନବୀନଙ୍କ ଶାସନ ସମୟରେ ଓଡ଼ିଶା ଦେଶର ସର୍ବନିମ୍ନ ଋଣ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଥିଲା ଏବଂ ମୁଣ୍ଡପିଛା ଋଣ ମଧ୍ୟ ତୁଳନାତ୍ମକ ଭାବେ କମ୍ ଥିଲା। ମିଥ୍ୟା ତଥ୍ୟ ଦେଇ ଧର୍ମେନ୍ଦ୍ର ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି।

‘ଓଡ଼ିଶାର ନ୍ୟାର୍ଯ୍ୟ ପ୍ରାପ୍ୟ ହଡ଼ପ କରିଛି କେନ୍ଦ୍ର’

ଖଣି ରାଜସ୍ୱ ପ୍ରସଙ୍ଗରେ ଅରୁଣ ସାହୁ କହିଛନ୍ତି, ଖଣିଜ ସମ୍ପଦ ଉପରେ ରାଜ୍ୟଗୁଡ଼ିକର ଆଇନଗତ ଓ ସାମ୍ବିଧାନିକ ଅଧିକାର ରହିଛି। ଖଣି ମାଲିକଙ୍କଠାରୁ ବକେୟା ଟିକସ ଆଦାୟ କରିବାର ଅଧିକାର ରାଜ୍ୟଗୁଡ଼ିକର ରହିଛି ବୋଲି ସୁପ୍ରିମକୋର୍ଟ କହିଥିବା ସେ ଦାବି କରିଛନ୍ତି।

ବିଜେଡି ନେତାଙ୍କ ଅଭିଯୋଗ ଅନୁଯାୟୀ, ଏହା ଆଧାରରେ ଓଡ଼ିଶା ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ବକେୟା ଏବଂ ପ୍ରତିବର୍ଷ ଅତିରିକ୍ତ ପ୍ରାୟ ୧୨ ହଜାର କୋଟି ଟଙ୍କା ପାଇବାର ଅଧିକାର ରଖୁଥିଲା। କିନ୍ତୁ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଜରିଆରେ ଓଡ଼ିଶାର ନ୍ୟାର୍ଯ୍ୟ ପ୍ରାପ୍ୟକୁ କେନ୍ଦ୍ର ହଡ଼ପ କରିନେଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଓଡ଼ିଶାରୁ ନିର୍ବାଚିତ ବିଜେପିର ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଏହି ବିଲ୍‌କୁ ସମର୍ଥନ କରିଥିବାରୁ ମଧ୍ୟ ଅରୁଣ ସାହୁ ପ୍ରଶ୍ନ ଉଠାଇଛନ୍ତି। ଏହା ଦେଶର ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି ସେ କହିଛନ୍ତି।

ରାଜ୍ୟ ସରକାରଙ୍କ ସତ୍ୟପାଠ ନେଇ ବିଜେଡିର ପ୍ରଶ୍ନ

ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ମଧ୍ୟ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌କୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି, ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଯୋଗୁଁ ଓଡ଼ିଶାର କୌଣସି କ୍ଷତି ହେବ ନାହିଁ ବୋଲି କୁହାଯିବା ବାସ୍ତବତାଠାରୁ ଦୂରରେ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍‌ ଜେନେରାଲ୍‌ ପିତାମ୍ବର ଆଚାର୍ଯ୍ୟ ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଖଣିରୁ ଶୁଳ୍କ ଓ ଟିକସ ଆଦାୟ ଓଡ଼ିଶାର ସ୍ୱାର୍ଥ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ଦର୍ଶାଯାଇଥିବା ସେ କହିଛନ୍ତି।

ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି, ରାଜ୍ୟ ସରକାରଙ୍କ ସତ୍ୟପାଠ ଠିକ୍‌ ନା ଧର୍ମେନ୍ଦ୍ର ପ୍ରଧାନ ଓ ଖଣିମନ୍ତ୍ରୀଙ୍କ ବିବୃତି ଠିକ୍‌? ବିଜେପି ଏହା ସ୍ପଷ୍ଟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।