ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ପ୍ରଭୁ ଜଗନ୍ନାଥଙ୍କ ଅଳଙ୍କାର ଓ ମୂଲ୍ୟବାନ ରତ୍ନରାଜିର ଗଣତିମଣତି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ତାରିଖରେ ପୁନର୍ବାର ରତ୍ନଭଣ୍ଡାର ଖୋଲାଯାଇ ଏହି ଗଣନା ପ୍ରକ୍ରିୟା କରାଯିବ। ଶ୍ରୀମନ୍ଦିରର ଆଗାମୀ ପର୍ବପର୍ବାଣୀ, ନୀତିକାନ୍ତି ଏବଂ କମାଣ୍ଡରଙ୍କ ସୁପାରିଶକୁ ଭିତ୍ତି କରି ଏହି ସ୍ୱଶେଷ ତାରିଖ ନିର୍ଦ୍ଧାରଣ କରାଯାଇଛି।
ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମାନକ କାର୍ଯ୍ୟକାରୀ ବିଧି (SOP) ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରକ୍ରିୟା ପରିଚାଳିତ ହେବ। ପୂର୍ବରୁ ଯେଉଁଭଳି କଡ଼ା ନିୟମ, ସୁରକ୍ଷା ଓ ସତର୍କତା ଗ୍ରହଣ କରାଯାଇଥିଲା, ଏଥର ମଧ୍ୟ ସେହିଭଳି ନିୟମାନୁସାରେ ରତ୍ନ ଓ ଅଳଙ୍କାରଗୁଡ଼ିକର ସୂଚାରୁ ଗଣତି କରାଯିବ।
ସେବାୟତ ଓ ଶ୍ରଦ୍ଧାଳୁଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟ ପ୍ରଶାସକ
ଗଣତିମଣତି ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ସେବାୟତ ନିଯୋଗ, କର୍ମଚାରୀ ଏବଂ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁଙ୍କ ସହଯୋଗ କାମନା କରିଛନ୍ତି।
ଦୀର୍ଘଦିନ ପରେ ରତ୍ନଭଣ୍ଡାରର ମୋଟ ସମ୍ପତ୍ତି ଓ ରତ୍ନରାଜିର ସଠିକ୍ ଗଣତିମଣତି ହେବାକୁ ଯାଉଥିବାରୁ, ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ର ଏହି ପ୍ରକ୍ରିୟା ଉପରେ ଏବେ ସମଗ୍ର ରାଜ୍ୟବାସୀ ଓ ଶ୍ରଦ୍ଧାଳୁଙ୍କ ନଜର ରହିଛି।




