ଜୟପୁର: ଜୟପୁରର ରାମପୁରାଠାରେ ଏକ ସରକାରୀ ବିଦ୍ୟାଳୟ ପରିଦର୍ଶନକୁ ନେଇ କୋକ୍ର ଜନତା ପାର୍ଟି ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳ, ଆକ୍ରମଣ ଓ ଧମକପୂର୍ଣ୍ଣ ପରିସ୍ଥିତି ପରେ, ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ସରକାରୀ ବିଦ୍ୟାଳୟକୁ ମାତ୍ର ୫୦ ମିଟର ଦୂରରେ ଥିବା ଏକ ଘରକୁ ସ୍ଥାନାନ୍ତର କରାଯାଇଛି।
ଏହି ସଂଘର୍ଷ ପରେ CJP ର ପ୍ରତିଷ୍ଠାତା ଅଭିଜିତ୍ ଦିପକେ ଚେତାବନୀ ଦେଇଥିଲେ ଯେ, ଯଦି ୪୮ ଘଣ୍ଟା ମଧ୍ୟରେ ସ୍କୁଲର ଅବସ୍ଥା ସୁଧାରିବା ପାଇଁ ପଦକ୍ଷେପ ନନିଆଯାଏ, ତେବେ ସେ ଜୟପୁରରେ ଧାରଣାରେ ବସିବେ। ଶନିବାର ସକାଳେ ରାମପୁରା ସରକାରୀ ସ୍କୁଲକୁ ଗାଁର ଏକ ଘରକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ୨ ଜଣ ଶିକ୍ଷକଙ୍କ ସହ ୧୬ ଜଣରୁ ଅଧିକ ପିଲା ଉପସ୍ଥିତ ଥିଲେ। ଯେଉଁ ଘରେ ଶ୍ରେଣୀଗୃହ ଚାଲିଛି, ତାହା ପୂର୍ବରୁ ଏକ ରାସନ/ଗ୍ରୋସରୀ ଦୋକାନ ଭାବେ ବ୍ୟବହୃତ ହେଉଥିଲା। ପାଠପଢ଼ା ସମୟରେ କିଛି ପିଲା ବାହାରେ ଖରାରେ ବସି ପଢ଼ୁଥିବା ଦେଖିବାକୁ ମିଳିଥିଲା ଏବଂ ଘର ଭିତରେ ଥିବା ସିଲିଂ ଫ୍ୟାନ୍ କାମ କରୁନଥିବାରୁ ପିଲାମାନେ ପ୍ରବଳ ଗରମରେ କଷ୍ଟ ପାଉଥିବା କହିଛନ୍ତି।
ଏହି ଘଟଣାରେ ଶନିବାର ସକାଳେ ଉଭୟ ପକ୍ଷ ଶିବଦାସପୁର ଥାନାରେ ପରସ୍ପର ବିରୋଧରେ ଆକ୍ରମଣ ଓ ଗଣ୍ଡଗୋଳ କରିବା ନେଇ ଅଭିଯୋଗ ଦାଖଲ କରିଛନ୍ତି। CJP ଜାତୀୟ ପ୍ରବକ୍ତା ଆଶୁତୋଷ ରାଙ୍କା ଅଭିଯୋଗ କରିଛନ୍ତି ଯେ, ସୁନିୟୋଜିତ ଭାବେ ଗାଁ ବାହାରୁ ଲୋକ ଆଣି ତାଙ୍କ କାର୍ଯ୍ୟକର୍ତ୍ତାଙ୍କୁ ମାରପିଟ୍ କରାଯାଇଛି, ପୋଷାକ ଫାଡ଼ି ଦିଆଯାଇଛି ଏବଂ ପଥର ମାଡ଼ କରାଯାଇଛି।ସେ ଆହୁରି କହିଛନ୍ତି ଯେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ନୀରବଦ୍ରଷ୍ଟା ସାଜିଥିଲା l CJP ସାଧାରଣ ସମ୍ପାଦକ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ସେମାନଙ୍କ ‘ସ୍କୁଲ ଠିକ୍ କରୋ’ ଅଭିଯାନ ଜାରି ରହିବ ଏବଂ ଆବଶ୍ୟକ ପଡ଼ିଲେ ସେମାନେ ଶିକ୍ଷାମନ୍ତ୍ରୀ ମଦନ ଦିଲାୱାରଙ୍କ ଇସ୍ତଫା ଦାବି କରିବେ।
ଗ୍ରାମବାସୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ CJP କାର୍ଯ୍ୟକର୍ତ୍ତାମାନେ ଗାଁକୁ ଆସି ଭୟର ବାତାବରଣ ସୃଷ୍ଟି କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ ସରକାର ସ୍କୁଲର ନୂତନ ଗୃହ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରନ୍ତୁ, ଯାହାଦ୍ୱାରା ପିଲାମାନେ ସୁରକ୍ଷିତ ଭାବେ ପାଠ ପଢ଼ିପାରିବେ।
ଅପରପକ୍ଷରେ, ଶିକ୍ଷାମନ୍ତ୍ରୀ ମଦନ ଦିଲାୱାର ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ ରାଜସ୍ଥାନର ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସୁଧାରିବା, ସ୍ମାର୍ଟ କ୍ଲାସରୁମ୍, ଗବେଷଣାଗାର ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ନିରନ୍ତର କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।




