ନାଲଗୋଣ୍ଡା: ତେଲଙ୍ଗାନାର ୟାଦାଦ୍ରି ଭୁବନଗିରି ଜିଲ୍ଲା ଭୁଦାନ ପୋଚମ୍ପଲ୍ଲି ମଣ୍ଡଳର ଦୋଥିଗୁଡେମରେ ଥିବା ହାଜେଲୋ ଫାର୍ମା ଶିଳ୍ପରେ ଶୁକ୍ରବାର ମଧ୍ୟରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପ୍ଲାଣ୍ଟରେ ଥିବା ଏକ ରାସାୟନିକ ରିଆକ୍ଟର ବିସ୍ଫୋରଣ ପରେ ହଠାତ୍ ନିଆଁ ଲାଗିଥିବା ଜଣାପଡ଼ିଛି। ଏହି ଘଟଣାରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି।
ବିସ୍ଫୋରଣରେ ଭୟଭୀତ ହେଲେ ଗ୍ରାମବାସୀ
ରିଆକ୍ଟର ବିସ୍ଫୋରଣର ଶବ୍ଦ ଏତେ ତୀବ୍ର ଥିଲା ଯେ, ଆଖପାଖର ଦୋଥିଗୁଡେମ ଓ ଆନ୍ଥମାଗୁଡେମ ଗାଁର ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ତୁରନ୍ତ ପ୍ଲାଣ୍ଟରେ ପହଞ୍ଚିଥିଲେ।
ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ଧରି ଉଦ୍ୟମ କରି ନିଆଁକୁ ନିୟନ୍ତ୍ରଣ କରିଥିଲେ। ପୁଲିସ ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲା।
ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ
ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ଶ୍ରମିକ ସଂଗଠନଗୁଡ଼ିକ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ଗତ ୩ ମାସ ମଧ୍ୟରେ ଏହି ୟୁନିଟ୍ରେ ଏହା ଦ୍ୱିତୀୟ ବଡ଼ ଦୁର୍ଘଟଣା ବୋଲି ସେମାନେ ଦାବି କରିଛନ୍ତି। ପ୍ଲାଣ୍ଟରେ ମୌଳିକ ସୁରକ୍ଷା ମାନଦଣ୍ଡ ପାଳନ କରାଯାଉନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ଅଗ୍ନିକାଣ୍ଡରେ ମୃତ ୨ ଶ୍ରମିକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭୁଦାନ ପୋଚମ୍ପଲ୍ଲି ପୁଲିସ ମାମଲା ରୁଜୁ କରି ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ ସୁରକ୍ଷା ବ୍ୟବସ୍ଥାରେ କୌଣସି ଅବହେଳା ହୋଇଥିଲା କି ନାହିଁ, ସେନେଇ ତଦନ୍ତ ଆରମ୍ଭ କରିଛି।




