ବେଜିଂ: ନିଜର ସଡ଼କ ଓ ପରିବହନ ଭିତ୍ତିଭୂମିକୁ ଆହୁରି ବିସ୍ତାର କରୁଛି ଚୀନ୍। ଏହି କ୍ରମରେ ଦେଶର ସ୍ଥଳ ସୀମା ଓ ଉପକୂଳକୁ ଯୋଡ଼ି ଏକ ବିଶାଳ ‘ଜାତୀୟ ରିଙ୍ଗ୍ ରୋଡ୍’ ନିର୍ମାଣ କରାଯାଉଛି। ୨୫ ହଜାର କିଲୋମିଟରରୁ ଅଧିକ ଲମ୍ବର ଏହି ରାସ୍ତା ଚୀନ୍ର ବିଭିନ୍ନ ଅଞ୍ଚଳ ଦେଇ ଯିବା ସହ ଏକାଧିକ ପଡ଼ୋଶୀ ଦେଶର ସୀମା ନିକଟରେ ପହଞ୍ଚିବ। ଏହାର ଏକ ଅଂଶ ଭାରତୀୟ ସୀମା ନିକଟ ଦେଇ ମଧ୍ୟ ଯିବ।
ଚୀନ୍ ସରକାର ଏହି ପ୍ରକଳ୍ପକୁ ଆର୍ଥିକ ବିକାଶ, ସାମାଜିକ ସ୍ଥିରତା ଓ ଜାତୀୟ ଏକତାକୁ ମଜବୁତ କରିବାର ଏକ ପଦକ୍ଷେପ ଭାବେ ଉପସ୍ଥାପନ କରୁଛନ୍ତି। ତେବେ ସୀମା ବିବାଦୀୟ ଅଞ୍ଚଳ ଏବଂ ପରିବେଶଗତ ଭାବେ ସମ୍ବେଦନଶୀଳ ଅଞ୍ଚଳ ଦେଇ ଏହି ରାସ୍ତା ଯିବାକୁ ଥିବାରୁ ଏହାକୁ ନେଇ ଭୂ-ରାଜନୈତିକ ଓ ପରିବେଶଗତ ଚିନ୍ତା ମଧ୍ୟ ବଢ଼ିଛି।
୨୦୩୦ ସୁଦ୍ଧା ପ୍ରକଳ୍ପ ଶେଷ କରିବା ଲକ୍ଷ୍ୟ
‘ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ’ର ଏକ ରିପୋର୍ଟ ଅନୁସାରେ, ଚୀନ୍ ଏହି ପ୍ରକଳ୍ପକୁ ‘ଗୋଲ୍ଡେନ୍ ବର୍ଡର-କୋଷ୍ଟ ଲୁପ୍’ ଭାବେ ବର୍ଣ୍ଣନା କରୁଛି। ୨୦୩୦ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି। ଜୁଲାଇରେ ଚୀନ୍ର ପରିବହନ ମନ୍ତ୍ରଣାଳୟ ଏହି ପ୍ରକଳ୍ପ ପାଇଁ ପାଞ୍ଚ ବର୍ଷିଆ ବ୍ଲୁପ୍ରିଣ୍ଟ ଜାରି କରିଥିଲା।
ଏହି ବିଶାଳ ରିଙ୍ଗ୍ ରୋଡ୍କୁ ମୁଖ୍ୟତଃ ତିନୋଟି ଭାଗରେ ବିକଶିତ କରାଯାଉଛି।
ପ୍ରଥମ ଭାଗରେ ଭାରତ ସମେତ ଏକାଧିକ ଦେଶର ସୀମା
ପ୍ରକଳ୍ପର ପ୍ରଥମ ଭାଗ ଜି-୨୧୯ ରାଜପଥ ସହ ଜଡ଼ିତ। ଏହି ରାଜପଥ ଦକ୍ଷିଣ-ପଶ୍ଚିମ ଚୀନ୍ର ଗୁଆଙ୍ଗସି ଝୁଆଙ୍ଗ୍ରୁ ୟୁନାନ୍, ତିବ୍ବତ ଦେଇ ଜିନଜିଆଙ୍ଗର ଉତ୍ତର ଅଞ୍ଚଳ ପର୍ଯ୍ୟନ୍ତ ଯିବ। ପ୍ରାୟ ୧୦ ହଜାର କିଲୋମିଟର ଲମ୍ବର ଏହି ରୁଟ୍ ଭିଏତନାମ, ଲାଓସ୍, ମିଆଁମାର, ଭାରତ, ଭୁଟାନ, ନେପାଳ, ପାକିସ୍ତାନ, ଆଫଗାନିସ୍ତାନ, କିର୍ଗିଜସ୍ତାନ, କାଜାଖସ୍ତାନ, ତାଜିକିସ୍ତାନ ଓ ରୁଷିଆ ସୀମା ନିକଟ ଦେଇ ଯିବ।
ଏହି କାରଣରୁ ଭାରତ ପାଇଁ ଜି-୨୧୯ ରାଜପଥର ବିକାଶ ବିଶେଷ ଗୁରୁତ୍ୱ ବହନ କରୁଛି। ସୀମା ବିବାଦ ଥିବା ଅଞ୍ଚଳ ନିକଟରେ ଚୀନ୍ ପକ୍ଷରୁ ସଡ଼କ ଭିତ୍ତିଭୂମିର ଦ୍ରୁତ ବିକାଶ ନେଇ ଭାରତ ପୂର୍ବରୁ ମଧ୍ୟ ଆପତ୍ତି ଜଣାଇ ଆସିଛି।
ତିଏନସାନ୍ ପର୍ବତ ତଳେ ହେବ ଦୀର୍ଘ ସୁଡ଼ଙ୍ଗ
ଦ୍ୱିତୀୟ ଭାଗରେ ଦକ୍ଷିଣ ଓ ଉତ୍ତର ଜିନଜିଆଙ୍ଗକୁ ଯୋଡ଼ୁଥିବା ରାସ୍ତାର ଏକ ଅଂଶ ତିଏନସାନ୍ ପର୍ବତମାଳା ତଳ ଦେଇ ଯିବ। ଏହି ରୁଟ୍ରେ ୧୫.୭ କିଲୋମିଟର ଲମ୍ବର ଏକ ସୁଡ଼ଙ୍ଗ ମଧ୍ୟ ନିର୍ମାଣ ହେଉଛି। ଏହା ଜି-୩୩୧ ରାଜପଥ ସହ ଜଡ଼ିତ ହେବ, ଯାହା ଜିନଜିଆଙ୍ଗ ସମେତ ଚୀନ୍ର ଉତ୍ତର ସୀମାନ୍ତ ଅଞ୍ଚଳ ଦେଇ ଯାଉଛି।
ପ୍ରାୟ ୯,୨୦୦ କିଲୋମିଟର ଲମ୍ବର ଏହି ରୁଟ୍ ରୁଷିଆ, ମଙ୍ଗୋଲିଆ ଓ ଉତ୍ତର କୋରିଆ ସୀମା ନିକଟ ଦେଇ ଯିବ।
ଉପକୂଳରେ ୭ ହଜାର କିମିର ରାସ୍ତା
ରିଙ୍ଗ୍ ରୋଡ୍ର ତୃତୀୟ ଭାଗ ପ୍ରାୟ ୭,୦୦୦ କିଲୋମିଟର ଲମ୍ବର ଜି-୨୨୮ ରାଜପଥ। ଏହା ଚୀନ୍ର ଉପକୂଳ ଅଞ୍ଚଳ ଦେଇ ଯାଇ ଲିଆଓନିଙ୍ଗ୍ରୁ ହେବେଇ, ତିଆନଜିନ୍, ଶାଣ୍ଡୋଙ୍ଗ, ଜିଆଙ୍ଗସୁ, ସାଂଘାଇ, ଝେଜିୟାଙ୍ଗ, ଫୁଜିଆନ୍ ଓ ଗୁଆଙ୍ଗଡୋଙ୍ଗ ଦେଇ ପୁଣି ଗୁଆଙ୍ଗସିକୁ ଫେରିବ।
ସୀମା ଓ ପରିବେଶ ନେଇ ଚିନ୍ତା
ଏହି ବିଶାଳ ପ୍ରକଳ୍ପ ଚୀନ୍ର ପରିବହନ ଓ ସୀମାନ୍ତ ଭିତ୍ତିଭୂମିକୁ ମଜବୁତ କରିପାରେ। କିନ୍ତୁ ଏହାର ଅନେକ ଅଂଶ ଦୁର୍ଗମ ପର୍ବତୀୟ ଅଞ୍ଚଳ, ମରୁଭୂମି ଓ ହିମବାହ ଥିବା ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଦେଇ ଯିବ। ତିବ୍ବତର ଆଲ୍ପାଇନ୍ ସୀମାନ୍ତ ଅଞ୍ଚଳ, ଦକ୍ଷିଣ ଜିନଜିଆଙ୍ଗର ମରୁଭୂମି ଏବଂ ତିଏନସାନ୍ ପର୍ବତମାଳାର ହିମବାହ ଅଞ୍ଚଳକୁ ନେଇ ପରିବେଶଗତ ନଜରଦାରି ଆବଶ୍ୟକ ବୋଲି ଚୀନ୍ର ପରିବେଶ ମନ୍ତ୍ରଣାଳୟ ମଧ୍ୟ ସୂଚାଇଛି।
ଏହା ସହ ତିବ୍ବତର ଲୁଜେରୁ ଜିନଜିଆଙ୍ଗର ମାଝା ପର୍ଯ୍ୟନ୍ତ ନୂଆ ରାଜପଥ ନିର୍ମାଣର ଯୋଜନା ମଧ୍ୟ ଚୀନ୍ କରିଛି। ଏହି ରାସ୍ତା ଭାରତ-ଚୀନ୍ ବିବାଦୀୟ ଅଞ୍ଚଳ ନିକଟ ଦେଇ ଯାଇ ଜି-୨୧୯ ରାଜପଥ ସହ ଯୋଡ଼ିବାର ଯୋଜନା ରହିଛି। ଫଳରେ ପ୍ରକଳ୍ପଟି ଆଗକୁ ବଢ଼ିବା ସହ ଭାରତ-ଚୀନ୍ ସୀମା ଓ ଭୂ-ରାଜନୈତିକ ପ୍ରସଙ୍ଗରେ ମଧ୍ୟ ଏହାର ପ୍ରଭାବ ନେଇ ଚର୍ଚ୍ଚା ଜାରି ରହିପାରେ।




