ନୂଆଦିଲ୍ଲୀ/ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କରେ ପିଜା ଡେଲିଭରୀ କରିବାକୁ ଯାଇଥିବା ବେଳେ ଜଣେ ପଞ୍ଜାବୀ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ପଞ୍ଜାବର କପୁରଥଲା ଜିଲ୍ଲାସ୍ଥିତ ଜବୋୱାଲ ଗ୍ରାମର ୨୮ ବର୍ଷୀୟ ଗୁରଦୀପ ସିଂ। ଏହି ଦୁଃଖଦ ଘଟଣାରେ ନ୍ୟୁୟର୍କସ୍ଥିତ ଭାରତୀୟ ଦୂତାବାସ ଗଭୀର ଶୋକ ପ୍ରକାଶ କରିବା ସହ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବାକୁ ଆଶ୍ୱାସନା ଦେଇଛନ୍ତି।

ନ୍ୟୁୟର୍କର ବ୍ରୁକ୍‌ଲିନ୍‌ ଅଞ୍ଚଳରେ ଗୁରଦୀପ ପିଜା ଡେଲିଭରୀ ପାଇଁ ଯାଉଥିବା ସମୟରେ ଅଜ୍ଞାତ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଲୁଟପାଟ ଉଦ୍ୟମରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଗୁରଦୀପ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସୁଧାରିବା ଏବଂ ରୋଜଗାର ପାଇଁ ପ୍ରାୟ ୩୫ ଲକ୍ଷ ଟଙ୍କାର ଋଣ କରି ଆମେରିକା ଯାଇଥିଲେ। ସେ ସେଠାରେ ଦିନରାତି କଠିନ ପରିଶ୍ରମ କରି ପରିବାରକୁ ଆର୍ଥିକ ସହାୟତା ଯୋଗାଉଥିଲେ।ପୁଅର ମୃତ୍ୟୁ ଖବର ପାଇବା ପରେ ଜବୋୱାଲ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗୁରଦୀପଙ୍କ ମୃତଦେହକୁ ଭାରତ ଆଣିବା ପାଇଁ ପଞ୍ଜାବ ଏବଂ କେନ୍ଦ୍ର ସରକାରଙ୍କୁ ପରିବାର ପକ୍ଷରୁ ନିବେଦନ କରାଯାଇଛି।

ନ୍ୟୁୟର୍କସ୍ଥିତ ଭାରତୀୟ ଦୂତାବାସ ‘X’ ମାଧ୍ୟମରେ କହିଛନ୍ତି ଯେ, “ନ୍ୟୁୟର୍କର ବ୍ରୁକ୍‌ଲିନ୍‌ରେ ଗୁଳିଚାଳନା ଘଟଣାରେ ଭାରତୀୟ ନାଗରିକ ଗୁରଦୀପ ସିଂଙ୍କ ଅକାଳ ବିୟୋଗ ବିଷୟରେ ଜାଣି ଆମେ ଅତ୍ୟନ୍ତ ମର୍ମାହତ। ଏହି କଠିନ ସମୟରେ ତାଙ୍କ ପରିବାର ପ୍ରତି ଆମର ଗଭୀର ସମବେଦନା ରହିଛି। ଦୂତାବାସ ପରିବାର ସହ ଯୋଗାଯୋଗରେ ଅଛି ଏବଂ ସମସ୍ତ ପ୍ରକାରର ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି।”

ପୁଲିସ ପ୍ରଶାସନ ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରଖିଛି।