ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬ର ପ୍ରସ୍ତୁତି ନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ‘ଡିଜିଟାଲ ଯୁଗରେ ସହରୀ ପରିବହନର ସୁଗମତା ଓ ଜୀବନଯାପନର ମାନ’ ବିଷୟବସ୍ତୁକୁ ନେଇ ଏହି ସମ୍ମିଳନୀ ଆୟୋଜିତ ହେବ।
ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ଏସ୍ଓ ସୁଧୀର ସିଂହ, ଗାଇଡେଡ୍ ଟ୍ରାନ୍ସପୋର୍ଟ ସ୍ପେସିଆଲିଷ୍ଟ ରଞ୍ଜିଶ କୁମାର ଏବଂ ୟୁଏମ୍ଆଇ ମ୍ୟାନେଜର୍ ରୀନା ଆରୋରା ଶ୍ରୀବାସ୍ତବଙ୍କୁ ନେଇ ତିନିଜଣିଆ ପ୍ରତିନିଧିମଣ୍ଡଳୀ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି। ପ୍ରତିନିଧିମଣ୍ଡଳୀ ଖାରବେଳ ଭବନସ୍ଥିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ପହଞ୍ଚି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କୁ ସାକ୍ଷାତ କରିଥିଲେ।
ବୈଠକରେ ସମ୍ମିଳନୀର ବିଭିନ୍ନ ପ୍ରସ୍ତୁତି ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସମ୍ମିଳନୀ ସ୍ଥଳର ବ୍ୟବସ୍ଥା, ବୈଷୟିକ ଅଧିବେଶନ, ପ୍ରଦର୍ଶନୀ ପାଭିଲିୟନ୍, ପ୍ରତିନିଧିଙ୍କ ରହଣି ଓ ଯାତାୟାତ, ସ୍ଥାନୀୟ ପରିବହନ, ପ୍ରୋଟୋକଲ୍, ସୁରକ୍ଷା ଓ ନିରାପତ୍ତା ସହ ବୈଷୟିକ ସ୍ଥଳ ପରିଦର୍ଶନ ଆଦି ବିଷୟ ଉପରେ ମତବିନିମୟ ହୋଇଥିଲା।
ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଦେଶ ଓ ବିଦେଶର ନୀତି ନିର୍ଦ୍ଧାରକ, ସହରୀ ପରିବହନ ବିଶେଷଜ୍ଞ, ପ୍ରଶାସକ, ଶିଳ୍ପ ନେତୃତ୍ୱ, ଶିକ୍ଷାବିତ୍ ଓ କ୍ଷେତ୍ର ବିଶେଷଜ୍ଞମାନେ ଯୋଗଦେବେ। ବୈଷୟିକ ଅଧିବେଶନ ଓ ପ୍ରଦର୍ଶନୀରେ ଓଡ଼ିଶାର ସହରୀ ଗମନାଗମନ କ୍ଷେତ୍ରର ବିଭିନ୍ନ ପଦକ୍ଷେପ ଏବଂ ଶ୍ରେଷ୍ଠ ପ୍ରଚଳନଗୁଡ଼ିକୁ ସାମିଲ କରିବା ନେଇ ମଧ୍ୟ ଆଲୋଚନା ହୋଇଛି।
ଏହା ମାଧ୍ୟମରେ ଅଂଶଗ୍ରହଣକାରୀମାନେ ନାଗରିକକୈନ୍ଦ୍ରିକ ଗମନାଗମନ ସମାଧାନ ବିକାଶ କ୍ଷେତ୍ରରେ ଓଡ଼ିଶାର ଅଭିଜ୍ଞତା ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ।
ସମ୍ମିଳନୀର ସମସ୍ତ ପ୍ରସ୍ତୁତିକୁ ସମୟସୀମା ମଧ୍ୟରେ ସମ୍ପନ୍ନ କରିବା ପାଇଁ ଯୁଗ୍ମ ସମନ୍ୱୟ ବ୍ୟବସ୍ଥା ଓ ବିଭିନ୍ନ କମିଟି ଗଠନ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଆଗାମୀ ସପ୍ତାହଗୁଡ଼ିକ ପାଇଁ ପ୍ରସ୍ତୁତିର ରୋଡମ୍ୟାପ୍ ପ୍ରସ୍ତୁତ କରିବା ସହ ପ୍ରମୁଖ ଲଜିଷ୍ଟିକ୍, ବୈଷୟିକ ଓ ପରିଚାଳନାଗତ ବ୍ୟବସ୍ଥାଗୁଡ଼ିକୁ ସମୟୋଚିତ ଭାବେ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ଅତିରିକ୍ତ ସଚିବ-ତଥା-ଜିଏମ୍, CRU ସାହେଦେବ ସମାଧିଆ, ଯୁଗ୍ମ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମମତାରାଣୀ ନାଏକଙ୍କ ସମେତ ବିଭାଗର ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ।




