ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ଅଟୋମେସନ୍‌ର ବଢ଼ୁଥିବା ପ୍ରଭାବ ମଧ୍ୟରେ ବିଶ୍ୱର ବିଭିନ୍ନ ପ୍ରଯୁକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ ଛଟେଇ ଜାରି ରହିଛି। ୨୦୨୬ରେ ପ୍ରାୟ ୧.୭୫ ଲକ୍ଷ କର୍ମଚାରୀ ଛଟେଇର ପ୍ରଭାବରେ ପଡ଼ିଥିବା ଜଣାପଡ଼ିଛି। ଆପଲ୍‌, ମାଇକ୍ରୋସଫ୍ଟ, ଓରାକଲ୍‌, ଆମାଜନ୍‌, ମେଟା, ଟିକ୍‌ଟକ୍‌, ଭିସା, ଉବର୍‌, ସିସ୍‌କୋ ଓ ଇଣ୍ଟେଲ୍‌ ଭଳି ବଡ଼ ବିଦେଶୀ କମ୍ପାନି ଏଥିରେ ସାମିଲ ଅଛନ୍ତି।

ଏଆଇ ପ୍ରଭାବରେ ଛଟେଇ କେବଳ ପ୍ରଯୁକ୍ତି କ୍ଷେତ୍ରରେ ସୀମିତ ନାହିଁ। ଗେମିଂ, ଇ-କମର୍ସ, ପେମେଣ୍ଟ୍‌ ଏବଂ ଅନ୍ୟାନ୍ୟ ଶିଳ୍ପରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇଛି। କିଛି ସଂସ୍ଥା ଏଆଇ ଓ ଅଟୋମେସନ୍‌କୁ ଛଟେଇର କାରଣ ଦର୍ଶାଇଥିବା ବେଳେ, ଅନ୍ୟ କେତେକ କମ୍ପାନି ଖର୍ଚ୍ଚ ହ୍ରାସ, ବ୍ୟବସାୟିକ ପ୍ରାଥମିକତାରେ ପରିବର୍ତ୍ତନ ଏବଂ ଟିମ୍‌କୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ କର୍ମଚାରୀ ସଂଖ୍ୟା କମାଇଛନ୍ତି।

‘ଟ୍ରୁଅପ୍‌’ ତଥ୍ୟ ଅନୁଯାୟୀ, ଆପଲ୍‌ ୬୦, ଟିକ୍‌ଟକ୍‌ ୨୫୦, ଜିଲୋ ୫୦୦ ଓ ଏଟ୍‌ସି ୨୨୦ କର୍ମଚାରୀଙ୍କୁ ଛଟେଇ କରିଛି। ସେହିପରି ମାଇକ୍ରୋସଫ୍ଟ ୪,୮୦୦, ଭିସା ୨,୬୦୦, ମଣ୍ଡେ ଡଟ୍‌ କମ୍‌ ୬୩୦, ପାଟ୍ରିଅନ୍‌ ୯୩ ଏବଂ ସାମସଙ୍ଗ ୭୩୯ କର୍ମଚାରୀଙ୍କୁ ବିଦା କରିଛି। ଉବର୍‌ ପ୍ରାୟ ୧୦ ପ୍ରତିଶତ ଏବଂ ଇଭି ନିର୍ମାତା ଲୁସିଡ୍‌ ୧୮ ପ୍ରତିଶତ କର୍ମଚାରୀ କମାଇଛି।

ଅନ୍ୟପକ୍ଷରେ, ମେଟାରେ ୮,୦୦୦, ସିସ୍‌କୋରେ ୪,୦୦୦, ଲିଙ୍କଡ୍‌ଇନ୍‌ରେ ୮୭୫, ଜେନେରାଲ୍‌ ମୋଟର୍ସରେ ୬୦୦, କ୍ଲାଉଡ୍‌ଫ୍ଲେୟାର୍‌ରେ ୧,୧୦୦, ପେପାଲ୍‌ରେ ୪,୮୦୦ ଏବଂ କଏନ୍‌ବେସ୍‌ରେ ୭୦୦ କର୍ମଚାରୀ ଛଟେଇ ହୋଇଛି। ନାଇକ୍‌ ୧,୪୦୦, ଆମାଜନ୍‌ ୬୦୦, ଡିଜ୍‌ନି ୧,୦୦୦, ସ୍ନାପ୍‌ ୧,୦୦୦, ଗୋପ୍ରୋ ୧୪୫ ଏବଂ ଏପିକ୍‌ ଗେମ୍‌ସ ୧,୦୦୦ କର୍ମଚାରୀଙ୍କୁ ଛଟେଇ କରିଛି।

ସେହିପରି ଓରାକଲ୍‌ରେ ୨୧,୦୦୦, ର୍ୟାକ୍‌ସ୍ପେସ୍‌ରେ ୭୫୦, ରବିନ୍‌ହୁଡ୍‌ରେ ୨୯୦, ରିଭିଆନ୍‌ରେ ୨ ପ୍ରତିଶତ, ଇଡିଅସ୍‌-ମଣ୍ଟ୍ରିୟଲ୍‌ରେ ୧୨୪, ୟୁବିସଫ୍ଟରେ ୧୦୫ ଏବଂ ଆଟ୍‌ଲାସିଆନ୍‌ରେ ୧,୬୦୦ କର୍ମଚାରୀ ଛଟେଇ ହୋଇଥିବା ତଥ୍ୟରେ ଦର୍ଶାଯାଇଛି।

ତେବେ ୨୦୨୬ର ଏହି ଛଟେଇକୁ ସମ୍ପୂର୍ଣ୍ଣ ଭାବେ ଏଆଇର ପ୍ରଭାବ ବୋଲି କହିବା ଠିକ୍‌ ହେବ ନାହିଁ। କାରଣ ଅନେକ ସଂସ୍ଥା ଏଆଇ ସହିତ ଖର୍ଚ୍ଚ କମାଇବା, ପୁନର୍ଗଠନ ଓ ବ୍ୟବସାୟିକ ରଣନୀତିରେ ପରିବର୍ତ୍ତନକୁ ମଧ୍ୟ ଛଟେଇର କାରଣ ଭାବେ ଦର୍ଶାଇଛନ୍ତି।