ନୂଆଦିଲ୍ଲୀ: ଯନ୍ତରମନ୍ତରରେ ସିଜେପିର ଛାତ୍ର ଆନ୍ଦୋଳନ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ଓ ହିଂସା ଘଟଣାର ତଦନ୍ତ ପାଇଁ ଗଠିତ ଉଚ୍ଚକ୍ଷମତାସମ୍ପନ୍ନ କମିଟି ସୁପ୍ରିମ୍‌କୋର୍ଟଙ୍କ ତତ୍ତ୍ୱାବଧାନରେ କାମ କରିବ। ମଙ୍ଗଳବାର ଏ ସମ୍ପର୍କିତ ଆବେଦନର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଏହା ସ୍ପଷ୍ଟ କରିଛନ୍ତି। ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍‌ ଆର୍‌. ସୁଭାଷ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ କମିଟିକୁ ବର୍ତ୍ତମାନ ପୁନର୍ଗଠନ କରାଯିବ ନାହିଁ ବୋଲି ଅଦାଲତଙ୍କ ଆଭିମୁଖ୍ୟରୁ ସ୍ପଷ୍ଟ ହୋଇଛି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍‌ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ପ୍ରସଙ୍ଗ ଉଠିଥିଲା। କିଛି ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍‌ କମିଟିର ଗଠନକୁ ନେଇ ଆପତ୍ତି ଉଠାଇବା ସହ ଆବେଦନଟିର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଅନୁରୋଧ କରିଥିଲେ। ତେବେ ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା ଏହାକୁ ବିରୋଧ କରିଥିଲେ।

ଆବେଦନରେ କମିଟିର ଅଧ୍ୟକ୍ଷ ଭାବେ କେଉଁ ବିଚାରପତିଙ୍କୁ ନିଯୁକ୍ତ କରାଯିବା ଉଚିତ, ସେନେଇ ନିର୍ଦ୍ଦିଷ୍ଟ ନାମ ଦିଆଯାଇଥିବାକୁ ନେଇ ମଧ୍ୟ ସଲିସିଟର ଜେନେରାଲ୍‌ ଆପତ୍ତି ଜଣାଇଥିଲେ। ଏହାପରେ ପ୍ରଧାନ ବିଚାରପତି କହିଥିଲେ ଯେ କମିଟିରେ ଯେଉଁମାନେ କାମ କରିବେ, ସେମାନେ ସୁପ୍ରିମ୍‌କୋର୍ଟଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିବେ। ମାମଲା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସମସ୍ତ ପକ୍ଷ କମିଟିକୁ ସହଯୋଗ କରିବା ସହ ଏହାକୁ ତଦନ୍ତ କରିବାକୁ ଦିଆଯାଉ ବୋଲି ଖଣ୍ଡପୀଠ କହିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମଧ୍ୟ ଏହା ଆବେଦନକାରୀମାନଙ୍କର ସାଧାରଣ ଚିନ୍ତା ବୋଲି କହିଥିଲେ।

ଅଗଷ୍ଟ ୨୦ରେ ସୁପ୍ରିମ୍‌କୋର୍ଟ ଏହି ପାଞ୍ଚଜଣିଆ କମିଟି ଗଠନ କରିଥିଲେ। ଜଷ୍ଟିସ୍‌ ରେଡ୍ଡୀଙ୍କ ବ୍ୟତୀତ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରବିଶଙ୍କର ଝା, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଶାଲିନ୍ଦର କୌର, ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଋଷିକୁମାର ଶୁକ୍ଲା ଏବଂ ମେଘାଳୟର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଏଲ୍‌.ଆର୍‌. ବିଷ୍ଣୋଇ ଏହି କମିଟିର ସଦସ୍ୟ ଅଛନ୍ତି।

ଜୁଲାଇ ୨୦ରେ ଦିଲ୍ଲୀରେ ସଂସଦ ଅଭିମୁଖେ ଆନ୍ଦୋଳନକାରୀଙ୍କ ମାର୍ଚ୍ଚ ସମୟରେ ପୁଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପୁଲିସ ପକ୍ଷରୁ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ପ୍ରଦର୍ଶନକାରୀଙ୍କ ହିଂସା ନେଇ ମଧ୍ୟ ଅଭିଯୋଗ ରହିଛି।

କମିଟି ପୁଲିସର ଅତ୍ୟଧିକ ବଳ ପ୍ରୟୋଗ, ପେଲେଟ୍‌ ଗନ୍‌ ବ୍ୟବହାର, ଆହତ ହେବା ଘଟଣା ସହ ପୁଲିସ ଉପରେ ହୋଇଥିବା ହିଂସାର ମଧ୍ୟ ତଦନ୍ତ କରିବ। ତଦନ୍ତ ଜାରି ରହିବା ସହ ଆବଶ୍ୟକ ହେଲେ କମିଟି ସୁପ୍ରିମ୍‌କୋର୍ଟଙ୍କୁ ଅନ୍ତରୀଣ ରିପୋର୍ଟ ଦେଇପାରିବ। ଏହି ରିପୋର୍ଟ ଆଧାରରେ ଅଦାଲତ ପରବର୍ତ୍ତୀ ନିର୍ଦ୍ଦେଶ ଦେଇପାରିବେ।